Site icon ଆଜିକାଲି

ବିଭିନ୍ନ ସଂସଦୀୟ କମିଟିରେ ନିଜ ଷ୍ଟାଫଙ୍କୁ ନିଯୁକ୍ତି ଦେଲେ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ, ବିରୋଧୀ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ : ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଏକ ନିଷ୍ପତ୍ତି ଯୋଗୁଁ ବିବାଦ ଉଠିଛି । ଜଗଦୀପ ଧନଖଡ ସଂସଦର ୨୦ଟି କମିଟିରେ ତାଙ୍କ ୮ ଜଣ ବ୍ୟକ୍ତିଗତ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟସଭା ସଚିବାଳୟର ଅଧିକାରୀମାନେ ସାଧାରଣତଃ ସଂସଦୀୟ କମିଟିଗୁଡିକୁ କାର୍ଯ୍ୟ ନିଷ୍ପାଦନରେ ସହାୟତା କରନ୍ତି। ତେବେ ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଜଣେ ରାଜ୍ୟସଭା ସାଂସଦ ବିଚିତ୍ର ବୋଲି କହିଛନ୍ତି।

ସଂସଦୀୟ କମିଟିରେ ନିଯୁକ୍ତ ଉପରାଷ୍ଟ୍ରପତିଙ୍କ ଷ୍ଟାଫଙ୍କ ମଧ୍ୟରେ ତାଙ୍କ ଓଏସଡି ରାଜେଶ ଏନ୍ ନାୟକ, ବ୍ୟକ୍ତିଗତ ସଚିବ (ପିଏସ୍) ସୁଜିତ କୁମାର, ଅତିରିକ୍ତ ବ୍ୟକ୍ତିଗତ ସଚିବ ସଞ୍ଜୟ ବର୍ମା, ଓଏସଡି ଅଖିଳ ଚୌଧୁରୀ, ଦୀନେଶ ଡି, କୌସ୍ତୁଭ ସୁଧାକର ଭାଲେକର ଏବଂ ପିଏସ୍ ଆଦିତ୍ୟ ଚୌଧୁରୀ ରହିଛନ୍ତି ।

ରାଜ୍ୟସଭା ସଚିବାଳୟ ତରଫରୁ କୁହାଯାଇଛି ଯେ ଏହି ଅଧିକାରୀମାନଙ୍କୁ ତତ୍କାଳ ଏବଂ ପରବର୍ତ୍ତୀ ଆଦେଶ ଯାଏଁ ବିଭିନ୍ନ ସଂସଦୀୟ କମିଟିରେ ସାମିଲ କରାଯାଇଛି। ଉପରାଷ୍ଟ୍ରପତି ଧନଖଡଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ଲୋକସଭା ସାଂସଦ ମନୀଷ ତିୱାରୀ ପ୍ରଶ୍ନ ଉଠାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ‘ଉପରାଷ୍ଟ୍ରପତି ହେଉଛନ୍ତି ରାଜ୍ୟସଭାର ଅଧ୍ୟକ୍ଷ । ସେ ଉପାଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷଙ୍କ ପ୍ୟାନେଲ ପରି ଗୃହର ସଦସ୍ୟ ନୁହଁନ୍ତି। ସେ କିପରି ସଂସଦୀୟ ସ୍ଥାୟୀ କମିଟିରେ ବ୍ୟକ୍ତିଗତ କର୍ମଚାରୀ ନିଯୁକ୍ତ କରିପାରିବେ?”

ଉପରାଷ୍ଟ୍ରପତିଙ୍କ ଷ୍ଟାଫ୍ କମିଟି ଗୁଡ଼ିକୁ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ କରିବେ ବୋଲି କୁହାଯାଉଛି । ଏପରିକି ଗୋପନୀୟ ବୈଠକରେ ମଧ୍ୟ ସେମାନେ ଯୋଗଦେବେ । ଲୋକସଭାର ପୂର୍ବତନ ମହାସଚିବ ପି.ଡି.ଟି ଆଚାର୍ଯ୍ୟ କହିଛନ୍ତି ଯେ ସଂସଦୀୟ କମିଟିରେ ଲୋକସଭା ବାଚସ୍ପତି କିମ୍ବା ରାଜ୍ୟସଭା ଅଧ୍ୟକ୍ଷ ନିଜ ବ୍ୟକ୍ତିଗତ କର୍ମଚାରୀଙ୍କୁ ନିଯୁକ୍ତି ଦେବା ନିୟମ ନାହିଁ ।

ନିୟମ ସ୍ପଷ୍ଟ କହୁଛି ଯେ କେବଳ ସଦସ୍ୟ (ସାଂସଦ)ମାନେ ହିଁ ଲୋକସଭା କିମ୍ବା ରାଜ୍ୟସଭା ସଚିବାଳୟର ଅଧିକାରୀମାନଙ୍କୁ ସାହାଯ୍ୟ କରନ୍ତି। ବାଚସ୍ପତି କିମ୍ବା ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ କର୍ମଚାରୀ ସଂସଦୀୟ ସଚିବାଳୟର ଅଂଶବିଶେଷ ହୋଇପାରିବେ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ସେପରି କୌଣସି ନିଯୁକ୍ତି ଦିଆଯାଇନଥିଲା। ସଂସଦର ସମୁଦାୟ ୨୪ଟି ସ୍ଥାୟୀ କମିଟି ଅଛି । ପ୍ରତ୍ୟେକ କମିଟିରେ ୨୧ ଜଣ ଲୋକସଭା ସାଂସଦ ଏବଂ ୧୦ ରାଜ୍ୟସଭା ସାଂସଦ ଅଛନ୍ତି। ଏହି ୨୪ଟି କମିଟି ମଧ୍ୟରୁ ୧୬ଟି ଲୋକସଭା ବାଚସ୍ପତିଙ୍କ ଅଧୀନରେ ଏବଂ ଆଠଟି ରାଜ୍ୟସଭା ଅଧ୍ୟକ୍ଷଙ୍କ ଅଧୀନରେ କାର୍ଯ୍ୟ କରିଥାଏ ।

Exit mobile version