Site icon ଆଜିକାଲି

ଚନ୍ଦ୍ରଯାନ-୩: ଚନ୍ଦ୍ରପୃଷ୍ଠରେ ପୁଣିଥରେ ସଫ୍ଟ ଲ୍ୟାଣ୍ଡିଂ କଲା ବିକ୍ରମ ଲ୍ୟାଣ୍ଡର୍

ବେଙ୍ଗାଲୁରୁ: ଦକ୍ଷିଣ ମେରୁରେ ଐତିହାସିକ ଅବତରଣର କିଛି ଦିନ ପରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପୁଣି ସଫ୍ଟ ଲ୍ୟାଣ୍ଡିଂ କରିଛି ।

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋମବାର କହିଛି ଯେ ବିକ୍ରମ ଲ୍ୟାଣ୍ଡର ଏହାର ଲକ୍ଷ୍ୟ ହାସଲ କରିଛି। ‘ହପ୍ ଏକ୍ସପେରିମେଣ୍ଟ୍’ର ଅଂଶ ଭାବେ ବିକ୍ରମ ଲ୍ୟାଣ୍ଡରର ଇଞ୍ଜିନକୁ ପୁଣି ଆରମ୍ଭ କରି ଏହାକୁ ପ୍ରାୟ ୪୦ ସେମି ପର୍ଯ୍ୟନ୍ତ ଉପରକୁ ଉଠାଯାଇଥିଲା । ପରେ ଲ୍ୟାଣ୍ଡରକୁ ଏହାର ମୂଳ ଅବତରଣ ସ୍ଥାନରୁ ୩୦-୪୦ ସେମି ଦୂରକୁ ନେଇ ପୁଣି ଲ୍ୟାଣ୍ଡିଂ କରାଯାଇଥିଲା । ଭବିଷ୍ୟତର ମାନବ ମିଶନ ଏବଂ ପ୍ରତ୍ୟାବର୍ତ୍ତନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଇସ୍ରୋ କହିଛି । ଏହି ଲ୍ୟାଣ୍ଡିଂ ଏକ୍ସପେରିମେଣ୍ଟ୍ ପରେ ବିକ୍ରମ ଲ୍ୟାଣ୍ଡର ସଠିକ୍ ଭାବେ କାମ କରୁଛି ବୋଲି କହିଛି ଇସ୍ରୋ ।

ଏହାପୂର୍ବରୁ ଇସ୍ରୋ ସେପ୍ଟେମ୍ବର ୨ରେ ବିକ୍ରମ ଲ୍ୟାଣ୍ଡର ଓ ରୋଭର ‘ପ୍ରଜ୍ଞା’କୁ ସ୍ଲିପ୍ ମୋଡରେ ରଖିଥିଲା । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଯେଉଁ ସ୍ଥାନରେ ଅବତରଣ କରିଥିଲା ସେଠାରେ ବର୍ତ୍ତମାନ ସେପ୍ଟେମ୍ବର ୨୨ରେ ସୂର୍ଯ୍ୟ କିରଣ ପଡ଼ିବ । ତେଣୁ ସେପର୍ଯ୍ୟନ୍ତ ବିକ୍ରମ ଲ୍ୟାଣ୍ଡର ଓ ରୋଭର ‘ପ୍ରଜ୍ଞା’କୁ ସ୍ଲିପ ମୋଡରେ ରଖାଯିବ । ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ବିକ୍ରମ ଲ୍ୟାଣ୍ଡର ଦକ୍ଷିଣ ମେରୁର ଏହି ଅଂଶରେ ମାଇନସ୍ ୨୦୦ ଡିଗ୍ରୀ ଯାଏଁ ତାପମାତ୍ରା ସହିପାରୁଛି କି ନାହିଁ ଦେଖାଯିବ । ସେପ୍ଟେମ୍ବର ୨୨ ପରେ ଲ୍ୟାଣ୍ଡର ଓ ରୋଭର ପୁଣି ସକ୍ରିୟ ହେବେ ବୋଲି ଇସ୍ରୋ ଆଶା ପ୍ରକଟ କରିଛି। ଯଦି ଏହା ନହୁଏ ତେବେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ଭାରତର ଆମ୍ବାସଡର ପରି ରହିବ ।

Exit mobile version