Site icon ଆଜିକାଲି

ସ୍ବାସ୍ଥ୍ୟକର୍ମୀଙ୍କ ସହ ହିଂସାକାଣ୍ଡର ୬ ଘଣ୍ଟା ମଧ୍ୟରେ ରୁଜୁ ହେବ ଏତଲା : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ନିର୍ମମ ଭାବେ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ସହ ହିଂସାକାଣ୍ଡ ଘଟିବାର ୬ ଘଣ୍ଟା ମଧ୍ୟରେ ଏତଲା ଦାୟର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡାକ୍ତର ଅତୁଲ ଗୋଏଲ କହିଛନ୍ତି ଯେ ସରକାରୀ ଡାକ୍ତରଖାନାଗୁଡିକରେ ଡାକ୍ତର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ ଡ୍ୟୁଟି ସମୟରେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଶାରୀରିକ ହିଂସା ଏବଂ ମୌଖିକ ନିର୍ଯାତନାର ଶିକାର ହୁଅନ୍ତି। ତେଣୁ ଏକ ଚିଠିରେ ଶ୍ରୀ ଗୋଏଲ କହିଛନ୍ତି ଯେ ଏଭଳି ଘଟଣା ଘଟିବାର ସର୍ବାଧିକ ୬ ଘଣ୍ଟା ମଧ୍ୟରେ ଏଫଆଇଆର ଦାଖଲ ନ କଲେ ଅନୁଷ୍ଠାନର ମୁଖ୍ୟମାନେ ଦାୟୀ ରହିବେ।

ଅଗଷ୍ଟ ୯ ତାରିଖରେ କୋଲକାତାର ଆର ଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯାତନା ଓ ହତ୍ୟା ଘଟଣା ପରେ କଠୋର ପଦକ୍ଷେପ ଦାବିରେ ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଅନୁଯାୟୀ, ୭୫ ପ୍ରତିଶତରୁ ଅଧିକ ଡାକ୍ତର ଡ୍ୟୁଟି ସମୟରେ କୌଣସି ନା କୌଣସି ହିଂସାର ସମ୍ମୁଖୀନ ହେବା ସହ ପ୍ରାୟ ପ୍ରତିଦିନ ସେମାନଙ୍କୁ ଗାଳିଗୁଲଜର ଶିକାର ହେବାକୁ ପଡ଼ୁଛି।

ସେପଟେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହି ମାମଲାର ତଦନ୍ତ କରୁଛି।

Exit mobile version