Site icon ଆଜିକାଲି

ଜନ୍ମଦିନରେ ଫ୍ୟାନ୍‌ଙ୍କୁ ୪୯ତମ ଶତକ ଭେଟିଦେଲେ ବିରାଟ କୋହଲି, ଭାରତ ୩୨୬/୫

କୋଲକାତା : ବିଶ୍ୱକପ୍‌ର ଆଉ ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଭାରତୀୟ ଦଳ ୩୨୭ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଦକ୍ଷିଣ ଆଫ୍ରିକା ପାଇଁ । ଖଚାଖଚ୍‌ ଦର୍ଶକ ଭରା ଇଡେନ ଗାର୍ଡନସ ଷ୍ଟାଡିୟମରେ ବିରାଟ କୋହଲି ତାଙ୍କ ଜନ୍ମ ଦିନରେ ଆଜି ଚମତ୍କାର ଶତକ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ଲଢୁଆ ଖେଳ ସତ୍ତ୍ୱେ ଭାରତ ୩୦୦ ରନ୍‌ ଅତିକ୍ରମ କରି ଗଲା ।

ଆଜି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଆରମ୍ଭରୁ ସେ ନିଜେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଏମିତି ଆକ୍ରମଣ କରିଥିଲେ ଯେ ଲାଗୁଥିଲା ଯେମିତି ବୋଲରମାନେ ତ୍ରାହି ପାଇବେ ନାହିଁ । ସେ ମାତ୍ର ୨୪ ବଲ୍‌ ଖେଳି ୨ଟି ଛକା ଏବଂ ୬ଟି ଚୌକା ମାରି ୪୦ ରନ୍‌ କରିବା ପରେ ରବାଡ଼ାଙ୍କ ବଲରେ ଆଉଟ୍‌ ହୋଇ ଯାଇଥିଲେ । ଏହାପରେ ଶୁବମନ ଗିଲ୍‌ ମଧ୍ୟ ବେଶି ସମୟ ରହି ପାରିନଥିଲେ । ୨୩ ରନ୍‌ କରି ମହାରାଜାଙ୍କ ଏକ ଚମତ୍କାର ବଲ୍‌୍‌ରେ ବିଦାୟ ନେଇଥିଲେ । ତେବେ ଏହି ସଂକଟ ସମୟରେ ବିରାଟ କୋହଲି ଏବଂ ଶ୍ରେୟଶ ଆୟର ଦାୟିତ୍ୱର ସହ ଖେଳି ପାଳି ସମ୍ଭାଳିଥିଲେ । ଏ ଦୁହେଁ ତୃତୀୟ ଓ୍ଵିକେଟ୍‌ରେ ୧୩୪ ରନ୍‌ ସଂଗ୍ରହ କରି ଦଳକୁ ମଜବୁତ ସ୍ଥିତିକୁ ନେଇ ଆସିଥିଲେ । ଦକ୍ଷିଣ ଆଫ୍ରିକାର ବଢ଼ିଆ ସ୍ପିନ୍‌ ଆକ୍ରମଣ ସହ ଚମତ୍କାର ଫିଲଡିଂ ଯୋଗୁଁ ଏମାନଙ୍କ ଗତି ଧିମେଇ ଯାଇଥିଲା । ତଥାପି ମନୋବଳ ଦୃଢ଼ ରଖି କୋହଲି ଓ ଆୟର ମୁକାବିଲା କରିଥିଲେ ।

ଶ୍ରେୟଶ ଆୟର ୮୭ ବଲ୍‌ରେ ୭୭ ରନ୍‌ (୭ ଚୌକା, ୨ ଛକା) କରି ଆଉଟ୍‌ ହୋଇ ଯାଇଥିଲେ । ପରେ କେଏଲ୍‌ ରାହୁଲ ମାତ୍ର ୮ ଏବଂ ସୂର୍ଯ୍ୟ କୁମାର ଯାଦବ ୨୨ ରନ୍‌ କରି ପଡ଼ିଆ ଛାଡ଼ିଥିଲେ । ତେବେ ଗୋଟିଏ ପଟେ କିଙ୍ଗ କୋହଲି ଜଗି ରହି ନିଜ ଶତକ ପୂରଣ କରିବା ସହ ସ୍କୋରକୁ ଆଗକୁ ବଢ଼ାଇଥିଲେ । ଶେଷ ଭାଗରେ ରବୀନ୍ଦ୍ର ଜାଡେଜାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଭଲ କାମ ଦେଇଥିଲା ଯାହାଫଳରେ ଭାରତ ୫୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୩୨୬ ରନ୍‌ କରିଥିଲା ।

କୋହଲି ୧୨୧ ବଲ୍‌ ଖେଳି ୧୦ଟି ଚୌକା ସହାୟତାରେ ଅପରାଜିତ ୧୦୧ ରନ୍‌ କରିଛନ୍ତି । ଜାଡେଜା ମାତ୍ର ୧୫ ବଲ୍‌ରେ ଗୋଟିଏ ଛକା ଓ ୩ଟି ଚୌକା ମାରି ୨୯ ରନ୍‌ର ଅପରାଜିତ ପାଳି ଖେଳିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ୬ ଜଲ ବୋଲର ବୋଲିଂ କରିଥିବା ବେଳେ ୫ ଜଣ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଛନ୍ତି ।

Exit mobile version