Site icon ଆଜିକାଲି

ବିଶାଖାପାଟଣା ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ

ନୂଆଦିଲ୍ଲୀ: ବିଶାଖାପାଟଣା ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ହେବ। ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଆଜି ଏହା ଘୋଷଣା କରିଛନ୍ତି। ଜଗନ୍ କହିଛନ୍ତି ଯେ ରାଜ୍ୟର ରାଜଧାନୀ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯିବ। ଏହାଛଡ଼ା ତାଙ୍କ କାର୍ଯ୍ୟାଳୟ ସହ ସବୁ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯିବ ।

ଆନ୍ଧ୍ର ସରକାର ୨୩ ଏପ୍ରିଲ୍ ୨୦୧୫ରେ ଅମରାବତୀକୁ ରାଜଧାନୀ କରିଥିଲେ। ଏହାପରେ ୨୦୨୦ରେ ଅମରାବତୀ, ବିଶାଖାପାଟଣା ଏବଂ କୁର୍ନୁଲକୁ ରାଜ୍ୟର ତିନୋଟି ରାଜଧାନୀ ନଗରୀ କରିବାକୁ ଯୋଜନା କରାଯାଇଥିଲା ।

ଆସନ୍ତା ମାର୍ଚ୍ଚରେ ବିଶାଖାପାଟଣାରେ ହେବାକୁ ଥିବା ‘ଗ୍ଲୋବାଲ୍ ଇନଭେଷ୍ଟର୍ସ ସମ୍ମିଳନୀ’ ପାଇଁ ଦିଲ୍ଲୀରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକକୁ ସମ୍ବୋଧନ କରି ଜଗନ୍ କହିଛନ୍ତି ଯେ ସେ ଆସନ୍ତା ମାସରେ ତାଙ୍କ କାର୍ଯ୍ୟାଳୟ ଏହି ବନ୍ଦର ନଗରୀକୁ ସ୍ଥାନାନ୍ତର କରିବେ। ସେ କହିଛନ୍ତି, “ଏଠାରେ ମୁଁ ଆପଣମାନଙ୍କୁ ବିଶାଖାପାଟଣାକୁ ନିମନ୍ତ୍ରଣ କରୁଛି, ଯାହା ଆଗାମୀ ଦିନରେ ଆମର ରାଜଧାନୀ ହେବାକୁ ଯାଉଛି। ମୁଁ ନିଜେ ମଧ୍ୟ ଆଗାମୀ ମାସରେ ବିଶାଖାପାଟଣାରୁ କାମ କରିବି। ”

ସମ୍ପ୍ରତି ଅମରାବତୀ ଆନ୍ଧ୍ରର ରାଜଧାନୀ । ତେବେ ରାଜ୍ୟ ପାଇଁ ତିନୋଟି ରାଜଧାନୀ (ଅମରାବତୀ, ବିଶାଖାପାଟଣା ଓ କୁର୍ନୁଲ) ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଜଗନ୍ ମୋହନ ରେଡ୍ଡୀ ସରକାର ଗତ ବର୍ଷ ନଭେମ୍ବରରେ ବିବାଦୀୟ ଆନ୍ଧ୍ର ପ୍ରଦେଶ ବିକେନ୍ଦ୍ରୀକରଣ ଆଇନକୁ ରଦ୍ଦ କରିଦେଇଥିଲେ ।

Exit mobile version