Site icon ଆଜିକାଲି

ଭୋଡାଫୋନ୍‌ର ଘୋଷଣା, ୧୧,୦୦୦ କର୍ମଚାରୀଙ୍କୁ କରିବ ଛଟେଇ

ଲଣ୍ଡନ: ଟେକ୍ ଇଣ୍ଡଷ୍ଟ୍ରିରେ ଗତ କିଛି ମାସ ଧରି କର୍ମଚାରୀ ଛଟେଇ ଜାରି ରହିଛି | ବ୍ରିଟିଶ ମୋବାଇଲ୍ ଫୋନ୍ ଜାଏଣ୍ଟ ଭୋଡାଫୋନ୍ ମଧ୍ୟ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ଘୋଷଣା କରିଛି। ସଂଗଠନକୁ ସରଳ କରିବା ପାଇଁ କମ୍ପାନୀ ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ଭୋଡାଫୋନ୍‌ର ନୂଆ ସିଇଓ ମାର୍ଗେରିଟା ଡେଲା ଭେଲ୍ ପ୍ରକାଶ କରିଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ଏହି ଛଟେଇ କରାଯିବ |

ଭୋଡାଫୋନ୍‌ର ବାର୍ଷିକ ରାଜସ୍ୱ ହ୍ରାସ ହୋଇଥିବା ସୂଚନା ଦେଇ ଭେଲ୍ କହିଛନ୍ତି ଯେ ଆମର ପ୍ରଦର୍ଶନ ଭଲ ହୋଇନାହିଁ। ଭୋଡାଫୋନରେ ଗତ ବର୍ଷ ପର୍ଯ୍ୟନ୍ତ ୧୦୪,୦୦୦ କର୍ମଚାରୀ ରହିଥିଲେ । ବର୍ତ୍ତମାନ ଭୋଡାଫୋନ୍ ଆସନ୍ତା ତିନି ବର୍ଷ ମଧ୍ୟରେ ଏହାର ବିଶ୍ବବ୍ୟାପୀ ୧୦% କର୍ମଚାରୀ (ପ୍ରାୟ ୧୧,୦୦୦)ଙ୍କ ଛଟେଇ କରିବ | ସେ ତାଙ୍କର ଏକ ବିବୃତ୍ତିରେ କହିଛନ୍ତି ଯେ ସେବା ବଜାୟ ରଖିବା ପାଇଁ ଭୋଡାଫୋନ୍ ପରିବର୍ତ୍ତନଶୀଳ ହେବା ଜରୁରୀ।

ସୂଚନା ଯେ, ଚଳିତ ମାସ ପ୍ରାରମ୍ଭରେ ଡେଲାଙ୍କୁ ଭୋଡାଫୋନର ସିଇଓ ଭାବେ ନିଯୁକ୍ତ କରାଯାଇଥିଲା। ସେ ନିକ୍ ରିଡଙ୍କ ସ୍ଥାନ ନେଇଥିଲେ । ‌ନିକ୍ ରିଡ୍ ଡିସେମ୍ବର ୨୦୨୨ରେ ଭୋଡାଫୋନ ସିଇଓ ପଦରୁ ଇସ୍ତଫା ଦେଇଥିଲେ। ସେ ଚାରି ବର୍ଷ ପାଇଁ ଭୋଡାଫୋନର ଦାୟିତ୍ବ ତୁଲାଇଥିଲେ । କମ୍ପାନୀର ସେୟାର ମୂଲ୍ୟରେ ହ୍ରାସ ଘଟିବାରୁ ବିଦାୟ ନେଇଥିଲେ। ନିକ୍ ଭୋଡାଫୋନରୁ ବିଦାୟ ନେବା ସମୟରେ କମ୍ପାନୀ ବ୍ରିଟେନରେ ଏହାର ପ୍ରତିଦ୍ୱନ୍ଦ୍ୱୀ ‘ଥ୍ରୀ ୟୁକେ’ ସହିତ ମିଶ୍ରଣ ପାଇଁ ଆଲୋଚନା କରିଥିଲା। ‘ଥ୍ରୀ ୟୁକେ’ର ମାଲିକାନା ହଂକଂର କମ୍ପାନୀ ‘ସିକେ ହଚିସନ୍’ ପାଖରେ ରହିଛି ।

Exit mobile version