Site icon ଆଜିକାଲି

ଭିଭିଏସ୍ ଲକ୍ଷ୍ମଣ ଟିମ୍‌ ଇଣ୍ଡିଆର ଅନ୍ତରୀଣ କୋଚ୍

ନୂଆଦିଲ୍ଲୀ : ଯାହା ଅନୁମାନ କରାଯାଉଥିବା ତାହା ସତ ହେଲା । ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କୋରୋନା ସଂକ୍ରମିତ ହେବାରୁ ତାଙ୍କ ସ୍ଥାନରେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଟିମ୍‌ ଇଣ୍ଡିଆର ଅନ୍ତରୀଣ କୋଚ୍ ହୋଇଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ଏସିଆ କପ୍ ପାଇଁ ଭିଭିଏସଙ୍କୁ ଟିମ ଇଣ୍ଡିଆ କୋଚ ଦାୟିତ୍ବ ଭାର ପ୍ରଦାନ କରାଯାଇଛି । ଆସନ୍ତା ୨୭ରୁ ଏସିଆ କପ୍ ଆରମ୍ଭ ହେବ ।

ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶିକ୍ଷଣରେ ଭାରତ ନିକଟରେ ଜିମ୍ବାୱେ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲା । ଯୁବ ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ବରେ ୩ ମ୍ୟାଚ ବିଶିଷ୍ଟ ସିରିଜରୁ କ୍ଲିନ ସୁଇପ କରିଥିଲା ଭାରତ । ରାହୁଲ ଦ୍ରାବିଡ କୋରୋନା ସଂକ୍ରମିତ ହୋଇଥିବାରୁ ତାଙ୍କୁ ଏସିଆ କପ ଗସ୍ତରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣ ମୁଖ୍ୟ କୋଚ ଭାର ସମ୍ଭାଳିବେ । ଲକ୍ଷ୍ମଣଙ୍କୁ ଅନ୍ତରୀଣ କୋଚ ନିଯୁକ୍ତି ସମ୍ପର୍କରେ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛି ବିସିସିଆଇ । ଯେଉଁଥିରେ କୁହାଯାଇଛି ”ୟୁଏଇରେ ଖେଳାଯିବାକୁ ଥିବା ଆସନ୍ତା ଏସିଆ କପ୍ ୨୦୨୨ ପାଇଁ ଏନସିଏର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଟିମ ଇଣ୍ଡିଆର ବରିଷ୍ଠ ପୁରୁଷ ବର୍ଗର ଅନ୍ତରୀଣ କୋଚ ନିଯୁକ୍ତି ଦିଆଯାଇଛି ।” ରାହୁଲ ସୁସ୍ଥ ହେଲେ ଓ ବିସିସିଆଇ ମେଡିକାଲ ଟିମ୍ କ୍ଲିୟରାନ୍ସ ଦେଲେ ସେ ପୁଣିଥରେ ଟିମ୍ ଇଣ୍ଡିଆର ଯୋଗ ଦେଇପାରିବେ ବୋଲି ବିସିସିଆଇ କହିଛି । ଦ୍ରାବିଡଙ୍କ ଅନୁପସ୍ଥିତିରେ ଲକ୍ଷ୍ମଣ କିପରି ଦାୟିତ୍ବ ତୁଲାଉଛନ୍ତି ତାହା ଦେଖିବା ବାକି ରହିଲା ।

ସୂଚନା ଥାଉକି, ଗତ ଜିମ୍ବାୱେ ଗସ୍ତରେ ରାହୁଲ ଦ୍ରାବିଡ ବିଶ୍ରାମ ନେଇଥିଲେ । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣ କୋଟ ଦାୟିତ୍ବ ନେଇଥିଲେ। ଏସିଆ କପ ପାଇଁ ଦ୍ରାବିଡଙ୍କୁ ଭାରତୀୟ ଦଳ ସହ ୟୁଏଇ ଗସ୍ତ କରିବାର ଥିଲା ମାତ୍ର ଏହା ପୂର୍ବରେ ସେ କୋରୋନା ସଂକ୍ରମିତ ହୋଇଥିଲେ । ବିସିସିଆଇ ଡାକ୍ତରୀ ଦଳ ଦ୍ରାବିଡଙ୍କ ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି । ପରବର୍ତ୍ତୀ ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଲେ ଦ୍ରାବିଡଙ୍କୁ ଦଳ ସହ ଯୋଗ ଦେବାକୁ ଅନୁମତି ମିଳିବ । ରାହୁଲ ଦ୍ରାବିଡଙ୍କୁ ସୁସ୍ଥ ହେବା ଆଗରୁ ବିସିସିଆଇ ଆଗୁଆ ପଦକ୍ଷେପ ନେଇ ଲକ୍ଷ୍ମଣଙ୍କୁ ଦାୟିତ୍ବ ନେବାକୁ ୟୁଏଇ ପଠାଇଛି । ଆସନ୍ତା ୨୭ରୁ ଆରମ୍ଭ ହେବାକୁ ଥିବା ଏସିଆ କପ ପାଇଁ ୟୁଏଇରେ ପହଞ୍ଚି ସାରିଛନ୍ତି ଭାରତୀୟ ଦଳ । ଏହା ସହ ପାକିସ୍ତାନ ଓ ଆଫଗାନିସ୍ତାନ ଟିମ ମଧ୍ୟ ୟୁଏଇରେ ପହଞ୍ଚିଛନ୍ତି । ୨୮ ତାରିଖରେ ଏସିଆ କପରେ ହେବିୱେଟ ମ୍ୟାଚ ରହିଛି । ପାକିସ୍ତାନ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ ।

Exit mobile version