Site icon ଆଜିକାଲି

ଆଉ କିଛି ସମୟର ଅପେକ୍ଷା: ହଟିବ ଅନ୍ଧାର, ବଞ୍ଚିବ ୪୧ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ : ଆଉ କିଛି ସମୟର ଅପେକ୍ଷା । ଉତ୍କଣ୍ଠାରେ ସାରା ଦେଶ । ହଟିବ ଅନ୍ଧାର, ବଞ୍ଚିବ ଜୀବନ। ୧୨ ଦିନ ପରେ ଆଲୋକ ଦେଖିବେ ୪୧ ଶ୍ରମିକ। ଅଳ୍ପ କେଇ ମିଟର ଦୂରରେ ଅଛନ୍ତି ଉଦ୍ଧାରକାରୀ ଦଳ । ଦୀର୍ଘ ୧୧ ଦିନ ଧରି ଟନେଲ ଭିତରେ ଫସି ରହିଥିବା ୪୧ ଶ୍ରମିକ ବାହାର ଦୁନିଆର ଆଲୋକ ଦେଖିବେ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉତ୍ତରକାଶୀ ଟନେଲରେ ଉଦ୍ଧାର କାର୍ଯ୍ୟ। ଭୁଶୁଡ଼ି ପଡ଼ିଥିବା ୬୦ ମିଟରରୁ ୪୫ ମିଟର ଟପିଲେଣି ଉଦ୍ଧାରକାରୀ। ତେବେ ଷ୍ଟିଲ ଚଟାଣ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଛି । ଟନେଲର ଉଭୟ ପାର୍ଶ୍ବରୁ ଏବଂ ଉପର ପଟୁ ଡ୍ରିଲ୍ ଚାଲିଛି। ଖୁବ ଶୀଘ୍ର ଟନେଲ ଭିତରୁ ଆସିବ ସୁସମ୍ବାଦ।

ମଙ୍ଗଳବାର ଭିଡିଓ କ୍ୟାମେରାରେ ଶ୍ରମିକଙ୍କ ଛବି ଆସିଥିଲା। ବାହାରକୁ ଆସିବା କେବଳ ବାକି ରହିଛି। ସାଢ଼େ ୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲର ୨୬୦ ମିଟର ପରେ ୪୧ ଶ୍ରମିକ ଫସି ରହିଛନ୍ତି। ମୁହଁ ଠାରୁ ୨୦୦ ମିଟର ପରେ ଭୁଶୁଡ଼ି ପଡ଼ିଥିଲା ଟନେଲ। ୬୦ ମିଟର ପର୍ଯ୍ୟନ୍ତ ଟନେଲ ପୋତି ହୋଇ ଯାଇଥିଲା। ୪୫ ମିଟର ଖୋଳା ସରିଲାଣି। ଟନେଲ ମୁହଁରେ ଆମ୍ବୁଲାନ୍ସ ଧାଡ଼ି ହୋଇ ଛିଡ଼ା ହୋଇଛି। ଉଦ୍ଧାର ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଶ୍ରମିକମାନଙ୍କୁ ହସ୍ପିଟାଲକୁ ନିଆଯିବ। ସ୍ବତନ୍ତ୍ର ଭାବେ ସେଠାରେ ହସ୍ପିଟାଲ ବେଡ୍ ମଧ୍ୟ ନିର୍ମାଣ କରାଯାଇଛି। ଫସିଥିବା ଶ୍ରମିକଙ୍କ ସଂପର୍କୀୟମାନେ ଟନେଲ ବାହାରେ ଅପେକ୍ଷା କରି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅକ୍ସଜେନ ସିଲିଣ୍ଡର ନେଇ ଟନେଲ ଭିତରେ ପଶିଛନ୍ତି ଏନଡିଆରଏଫ ଯବାନ। ଟନେଲ ନିକଟରେ ପୂଜାର୍ଚ୍ଚନା ମଧ୍ୟ ଚାଲିଛି । ନଭେମ୍ବରର ୧୨ ତାରିଖରେ ଟନେଲ ଅଘଟଣ ଘଟିଥିଲା। ଉତ୍ତରକାଶୀ ଟନେଲର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଭିତରେ ଥିବା ୪୧ ଜଣ ଶ୍ରମିକ ତା ଭିତରେ ରହି ଯାଇଥିଲେ।

Exit mobile version