Site icon ଆଜିକାଲି

ଦିନିକିଆ ବିଶ୍ୱକପ୍ ୨୦୨୩ : ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ୍‌

ଗୌହାଟୀ : ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ । ଶନିବାର ଦିନ ବର୍ଷାପଡ଼ା ଗ୍ରାଉଣ୍ଡ୍‌ରେ ଆୟୋଜକ ଦଳ ଡିଫେଣ୍ଡିଂ ଚାମ୍ପିଅନ୍‌ ଇଂଲଣ୍ଡକୁ ସାମ୍ନା କରିବ । ଭାରତୀୟ କ୍ରିକେଟ୍‌ପ୍ରେମୀ ବହୁ ତାରକା ଖେଳାଳିଙ୍କୁ ଏକତ୍ର ଦେଖିବାକୁ ସୁଯୋଗ ପାଇବେ । ବିରାଟ କୋହଲି, ରୋହିତ ଶର୍ମା, ଶୁଭମନ ଗିଲ୍‌, କେ ଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଜୋସ ବଟଲର, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସଙ୍କ ଭଳି ମହାନ ଖେଳାଳିମାନେ ଅଭ୍ୟାସ ମ୍ୟାଚ୍‌ ଖେଳିବେ । ଶନିବାର ଏହି ମ୍ୟାଚ୍‌ ‘ହାଉସଫୁଲ୍‌’ ହେବା ନିଶ୍ଚିତ ।

ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳି ସାରିବା ପରେ ଇଂଲଣ୍ଡ ଦଳ ଭାରତରେ ପହଞ୍ଚିଛି । ଭାରତୀୟ ଜଳବାୟୁ ସହ ଖାପ ଖୁଆଇବା ପାଇଁ ଚାମ୍ପିଅନ୍‌ ଦଳ ନିକଟରେ ମାତ୍ର ୫ ଦିନର ସମୟ ରହିଛି । ୩୮ ଘଣ୍ଟାର ଯାତ୍ରା ପରେ ଇଂଲଣ୍ଡ ଦଳ ଆଜି ଅପରାହ୍ଣରେ ଆସି ଗୌହାଟୀରେ ପହଞ୍ଚିଥିଲା । ଲମ୍ବା ଯାତ୍ରାରେ କ୍ଲାନ୍ତ ଖେଳାଳିମାନେ ହୋଟେଲରେ ବିଶ୍ରାମ ନେଇଛନ୍ତି । ଭାରତୀୟ ଦଳ ଦିନକ ପୂର୍ବରୁ ଗୌହାଟୀରେ ପହଞ୍ଚିଥିଲେ ହେଁ ବିଶ୍ରାମକୁ ପ୍ରାଥମିକତା ଦେଇଛି ।

ତେବେ ଶୁକ୍ରବାର କେବଳ ୪ଜଣ ଖେଳାଳି ଗିଲ, କିଷନ, ଅଶ୍ୱିନ ଓ ସର୍ଦୁଲ ଠାକୁର ଅଭ୍ୟାସ କରିଥିଲେ । ବାକି ଖେଳାଳି ବିଶ୍ରାମ ନେଇଥିଲେ । ଇଂଲଣ୍ଡ ଦଳ ଗୌହାଟୀରେ ଉଭୟ ଅଭ୍ୟାସ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି । ୨ ତାରିଖରେ ଦଳ ବାଂଲାଦେଶକୁ ଭେଟିବା ପରେ ଅହମ୍ମଦାବାଦ ଯାତ୍ରା କରିବ । ୫ ତାରିଖରେ ବିଶ୍ୱକପ୍‌ ଆରମ୍ଭ ହେବ ।

ଦିନିକିଆ ବିଶ୍ୱକପ ୨୦୨୩ର ଉଦ୍‌ଘାଟନୀ ମୁକାବିଲାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ । ଭାରତୀୟ ଦଳ ସମ୍ପ୍ରତି ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ (୨-୧) ଜିତି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ଥିବା ପ୍ରମାଣ କରିଛି । ମାତ୍ର ଇଂଲଣ୍ଡ ଦଳକୁ ହରାଇବା ସହଜ ହେବ ନାହିଁ । ୨୦୧୯ ବିଶ୍ୱକପ ଜିତିବା ଦିନଠୁ ଦିନିକିଆ କ୍ରିକେଟ୍‌ରେ ଇଂଲଣ୍ଡର ଆଧିପତ୍ୟ ଜାରି ରହିଛି । ବିଗତ ଦିନରେ ଅନେକ ପ୍ରତିଭାବାନ ଖେଳାଳି ଇଂଲଣ୍ଡ ଦଳରେ ସ୍ଥାନ ପାଇଛନ୍ତି ଓ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।

Exit mobile version