Site icon ଆଜିକାଲି

ବ୍ୟାଟ୍ସମ୍ୟାନଙ୍କ ପୁଣି ନିରାଶାଜନକ ପ୍ରଦର୍ଶନ, ଦ୍ୱିତୀୟ ଟି-୨୦ ବି ହାରିଲା ଭାରତ

ପ୍ରୋଭିଡେନ୍ସ: ବ୍ୟାଟ୍ସମ୍ୟାନଙ୍କ ପୁଣି ଥରେ ନିରାଶାଜନକ ପ୍ରଦର୍ଶନ ଯୋଗୁଁ କ୍ରମାଗତ ଦ୍ୱିତୀୟ ଟି-୨୦ ମ୍ୟାଚରେ ପରାଜୟର ସାମ୍ନା କରିଛି ଭାରତ । ରବିବାର ଏଠାରେ ଅନୁଷ୍ଠିତ ଦ୍ବିତୀୟ ଟି-୨୦ରେ ୱେଷ୍ଟଇଣ୍ଡିଜ୍ ଦୁଇ ୱିକେଟରେ ଭାରତକୁ ହରାଇଛି । ଏଥିସହ ଘରୋଇ ଦଳ ପାଞ୍ଚ ମ୍ୟାଚ୍ ସିରିଜରେ ୨-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିଛି |

ପ୍ରଥମେ ବ୍ୟାଟିଂ କରି ତିଳକ ବର୍ମାଙ୍କ ପ୍ରଥମ ଅର୍ଦ୍ଧଶତକ ବଳରେ ଭାରତ ୭ ୱିକେଟ୍ ହରାଇ ୧୫୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ନିକୋଲାସ ପୁରାନ ୪୦ ବଲରେ ବିସ୍ଫୋରକ ୬୭ ରନର ଇନିଂସ୍ ସହ ଓ୍ବେଷ୍ଟଇଣ୍ଡିଜ୍ ବିଜୟର ମୂଳଦୁଆ ପକାଇଥିଲେ । ୱେଷ୍ଟଇଣ୍ଡିଜ୍ ୧୮.୫ ଓଭରରେ ୮ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ୟୁଜବେନ୍ଦ୍ର ଚହଲ ୧୬ତମ ଓଭରରେ ଦୁଇଟି ୱିକେଟ୍ ନେଇ ଭାରତକୁ ମ୍ୟାଚକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ହେଲେ ଅଲଜାରି ଯୋଶେଫ୍ ଏବଂ ଆକିଲ ହୁସେନ୍ ନବମ ଓ୍ବିକେଟରେ ୨୬ ରନ୍ ଭାଗିଦାରୀ ସହ ଭାରତର ଆଶାରେ ପାଣି ଢ଼ାଳି ଦେଇଥିଲେ । ୱେଷ୍ଟଇଣ୍ଡିଜକୁ ଶେଷ ଦୁଇ ଓଭରରୁ ୧୨ ରନ ଆବଶ୍ୟକ ହେଉଥିଲା ।‌ କିନ୍ତୁ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସଫଳ ବୋଲର ଚହଲଙ୍କୁ ବଲ୍ ନ ଦେଇ ଭୁଲ୍ କରିଥିଲେ।

ପୂର୍ବରୁ ପାଣ୍ଡ୍ୟା ନୂଆ ବଲ୍ ସହ ଚମତ୍କାର ବୋଲିଂ କରିଥିଲେ । ଫଳରେ ଭାରତ ଶୀଘ୍ର ଦୁଇ ଓପନର ବ୍ରାଣ୍ଡନ କିଙ୍ଗ୍ (୦) ଏବଂ ଜନସନ ଚାର୍ଲ୍ସ (୨)ଙ୍କ ୱିକେଟ ଖସାଇ ଓ୍ବେଷ୍ଟଇଣ୍ଡିଜକୁ ଆରମ୍ଭରୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ହେଲେ ପୁରାନ୍ ତାଙ୍କ ଚିରାଚରିତ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରି ଭାରତ ଉପରେ ପାଲଟା ଚାପ ପକାଇଥିଲେ । ସେ ପାଣ୍ଡ୍ୟାଙ୍କ ବଲରେ ଗୋଟିଏ ଛକା ବି ମାରିଥିଲେ। ପୁରାନ୍ ଭାରତର କୌଣସି ବୋଲରଙ୍କୁ ଛାଡ଼ି ନଥିଲେ। ଏହା ପୂର୍ବରୁ ଭାରତ ପକ୍ଷରୁ ତିଳକ ବର୍ମା ନିର୍ଭୀକ ବ୍ୟାଟିଂ ସହ ୪୧ ବଲରେ ୫୧ ରନ୍ ସଂଗ୍ରହ କରିଥିଲେ। ଟି-୨୦ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିବାରେ ବର୍ମା ସର୍ବକନିଷ୍ଠ ଭାରତୀୟ କ୍ରିକେଟର ହୋଇଥିଲେ। ସେ ପ୍ରଥମ ଟି-୨୦ରେ ନିଜ ଡେବ୍ୟୁରେ ଧୂଆଁଧାର ୩୯ ରନ୍ କରିଥିଲେ ହେଁ ଭାରତ ୪ ରନରେ ପରାସ୍ତ ହୋଇଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୮ ରନରେ ଦୁଇଟି ୱିକେଟ୍ ହରାଇବା ପରେ ବର୍ମା ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ସେ ଇଶାନ କିଶନ (୨୭)ଙ୍କ ସହ ୪୨ ରନ୍ ଏବଂ ଅଧିନାୟକ ପାଣ୍ଡ୍ୟାଙ୍କ ସହ ୩୮ ରନ୍ ଭାଗିଦାରୀ କରିଥିଲେ। ପାଣ୍ଡ୍ୟା (୨୪) ଦୁଇଟି ଛକା ମାରି ଭାରତର ସ୍କୋର ବଢ଼ାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅଲଜାରି ଯୋସେଫଙ୍କ ୟର୍କରରେ ଚକମା ଖାଇ ୱିକେଟ୍ ହରାଇଥିଲେ। ଜୋସେଫ ୨୮ ରନରେ ଦୁଇଟି ୱିକେଟ୍ ନେଇଥିଲେ।

ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଭୁଲ୍ ସାବ୍ୟସ୍ତ ହୋଇଥିଲା । କାରଣ ନିୟମିତ ବ୍ୟବଧାନରେ ୱିକେଟ୍ ଆସୁଥିଲା । ୱେଷ୍ଟଇଣ୍ଡିଜ୍ ଅଧିନାୟକ ରୋଭମାନ ପାୱେଲ ବୋଲରମାନଙ୍କୁ ସଠିକ୍ ଭାବରେ ବ୍ୟବହାର କରିଥିଲେ। ଇଶାନ ନିଜ ୨୩ ବଲ ଇନିଂସରେ ଅକିଲ ହୁସେନ୍‌ଙ୍କୁ ଗୋଟିଏ ଛକା ବି ମାରିଥିଲେ । କିନ୍ତୁ ରୋମାରିଓ ଶେଫର୍ଡ ତାଙ୍କୁ ଆଉଟ୍ କରିଥିଲେ। ଶୁଭମାନ ଗିଲ୍ (୭) ପୁଣି ଥରେ ବିଫଳ ହୋଇଥିଲେ। ସେହିଭଳି ଉପଅଧିନାୟକ ସୂର୍ଯ୍ୟକୁମାର ଯାଦବ (୧) ରନ୍ ଆଉଟ୍ ହୋଇଥିଲେ। ବହୁତ ସୁଯୋଗ ପାଉଥିଲେ ମଧ୍ୟ ସଞ୍ଜୁ ସାମସନ୍ (୭) ପୁଣି ନିରାଶ କରିଥିଲେ । ଏକ ବଡ଼ ସଟ୍ ଖେଳିବାର ପ୍ରୟାସରେ ସେ ଷ୍ଟମ୍ପ ଆଉଟ୍ ହୋଇଯାଇଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ହୁସେନ୍, ଯୋସେଫ୍ ଏବଂ ଶେଫର୍ଡ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

Exit mobile version