Site icon ଆଜିକାଲି

ବିଶ୍ୱକପ ୨୦୨୩ ପାଇଁ ଯୋଗ୍ୟତା ହାସଲ କରିପାରିଲାନି ୱେଷ୍ଟଇଣ୍ଡିଜ୍‌

ହରାରେ: ଦୁଇ ଥରର ଚାମ୍ପିୟନ ୱେଷ୍ଟଇଣ୍ଡିଜ ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ଯୋଗ୍ୟତା ହାସଲ କରିବାର ବିଫଳ ହୋଇଛି । ଜିମ୍ବାୱେରେ ଚାଲିଥିବା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଶନିବାର ସୁପର ସିକ୍ସ ରାଉଣ୍ଡରେ ସ୍କଟଲାଣ୍ଡ ଠାରୁ ୭ ୱିକେଟରେ ହାରିବା ପରେ ବିଶ୍ୱକପ୍ ଟିକେଟରୁ ବଞ୍ଚିତ ହୋଇଛି ୱେଷ୍ଟଇଣ୍ଡିଜ୍ । ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବନି କାରିବିୟାନ ଦଳ । ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ କେବଳ ଦୁଇ ଫାଇନାଲିଷ୍ଟ ହିଁ ଅକ୍ଟୋବର ୫ରୁ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ । ତେବେ ସ୍କଟଲାଣ୍ଡ ଠାରୁ ହାରିବା ପରେ ୱେଷ୍ଟଇଣ୍ଡିଜର ଫାଇନାଲ ଦୌଡ଼ରୁ ବାଦ୍ ପଡ଼ି ବିଶ୍ୱକପରୁ ବଞ୍ଚିତ ହୋଇଛି ।

ୱେଷ୍ଟଇଣ୍ଡିଜ୍ ୧୯୭୫ ଓ ୧୯୭୯ରେ ଅନୁଷ୍ଠିତ ପ୍ରଥମ ଦୁଇଟି ବିଶ୍ୱକପରେ ଚାମ୍ପିୟନ ହୋଇଥିଲା । ଏହାଛଡ଼ା ଦଳ ୧୯୮୩ ସଂସ୍କରଣରେ ରନର୍ସ ଅପ୍ ହୋଇଥିଲା । ଏକଦା କ୍ରିକେଟ୍ ଜଗତରେ ରାଜ କରୁଥିବା ୱେଷ୍ଟଇଣ୍ଡିଜ ବିନା ପ୍ରଥମ ଥର ଦିନିକିଆ ବିଶ୍ୱକପ ଖେଳାଯିବ । ୱେଷ୍ଟଇଣ୍ଡିଜ କ୍ରିକେଟ୍ ପାଇଁ ଏହା ଏକ ଲଜ୍ଜାଜନକ ଅଧ୍ୟାୟ ।

ୱେଷ୍ଟଇଣ୍ଡିଜ୍ ଦିନିକିଆ ସୁପର ଲିଗରେ ନବମ ସ୍ଥାନରେ ରହି ବିଶ୍ୱକପ୍ ୨୦୨୩ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲା । ତେଣୁ ଦଳକୁ ଯୋଗ୍ୟତା ପର୍ଯ୍ୟାୟରେ ଖେଳିବାକୁ ପଡ଼ିଥିଲା । ବିଶ୍ୱକପ୍ ୨୦୨୩ ପାଇଁ କେବଳ ଶୀର୍ଷ ୮ ଦଳ ସିଧାସଳଖ ଯୋଗ୍ୟତା ହାସଲ କରିଥିଲେ ।

ଯୋଗ୍ୟତା ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ୍ ଗ୍ରପ୍ ଏ’ରେ ଜିମ୍ବାୱେ, ନେଦରଲାଣ୍ଡ୍‌ସ, ଆମେରିକା ଓ ନେପାଳ ଭଳି ଦଳ ସହ ରହିଥିଲା । ୱେଷ୍ଟଇଣ୍ଡିଜ୍ ସୁପର ସିକ୍ସ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା । କିନ୍ତୁ ନେଦରଲାଣ୍ଡସ୍ ଓ ଜିମ୍ବାୱେ ଠାରୁ ଗ୍ରୁପ୍ ପର୍ଯ୍ୟାୟରେ ହାରିଥିବାରୁ ସୁପର ସିକ୍ସ ରାଉଣ୍ଡରେ ୱେଷ୍ଟଇଣ୍ଡିଜକୁ ତିନୋଯି ଯାକ ମ୍ୟାଚ୍ ଜିତିବା ଜରୁରୀ ଥିଲା । ହେଲେ ସୁପର ସିକ୍ସରେ ସ୍କଟଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ହିଁ ହାରିବା ପରେ ୱେଷ୍ଟଇଣ୍ଡିଜର ଫାଇନାଲ ଯିବା ପଥ ବନ୍ଦ ହେବା ସହ ବିଶ୍ୱକପ୍ ଯୋଗ୍ୟତା ଆଶା ଧୂଳିସାତ ହୋଇଛି ।

ବିଶ୍ୱକପ୍ ୨୦୨୩ ପାଇଁ ଯୋଗ୍ୟତା ହାସଲ କରିନପାରିବା ୱେଷ୍ଟଇଣ୍ଡିଜ କ୍ରିକେଟର ଅବନତିକୁ ଦର୍ଶାଉଛି । ଗତ ୨୦୧୯ ସଂସ୍କରଣ ପାଇଁ ମଧ୍ୟ ୱେଷ୍ଟଇଣ୍ଡିଜ କଷ୍ଟରେ ଯୋଗ୍ୟତା ହାସଲ କରିଥିଲା । କିନ୍ତୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା । ସ୍କଟଲାଣ୍ଡ ବିପକ୍ଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୪୩.୫ ଓଭରରେ ମାତ୍ର ୧୮୧ ରନ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଜାସନ୍ ହୋଲ୍ଡର ସର୍ବାଧିକ ୪୫ ଓ ରୋମାରିଓ ସେଫର୍ଡ ୩୬ ରନ୍ କରିଥିଲେ । ଜବାବରେ ସ୍କଟଲାଣ୍ଡ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା ।

Exit mobile version