Site icon ଆଜିକାଲି

ହ୍ବାଟସଆପ୍, ଫେସବୁକ୍, ଇନଷ୍ଟାଗ୍ରାମରେ ବନ୍ଦ ହେବ ମାଗଣା କଲିଂ !

ନୂଆଦିଲ୍ଲୀ: ହ୍ବାଟସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଭଳି ଅନେକ ଆପ୍ ସମ୍ପୂର୍ଣ୍ଣ ମାଗଣାରେ ଭଏସ୍ ଏବଂ ଭିଡିଓ କଲିଂ ସୁବିଧା ପ୍ରଦାନ କରନ୍ତି | କିନ୍ତୁ ଏହି ସୁବିଧା ଶୀଘ୍ର ଶେଷ ହୋଇପାରେ ।

ରିପୋର୍ଟ ଅନୁଯାୟୀ, ଟେଲିକମ ବିଭାଗ (ଡିଓଟି) ଭାରତୀୟ ଟେଲିକମ ପ୍ରାଧିକରଣ (ଟ୍ରାଇ)କୁ ଇଣ୍ଟରନେଟ୍ ଆଧାରିତ କଲ୍ ନିୟନ୍ତ୍ରଣ ପାଇଁ ପ୍ରସ୍ତାବ ଉପରେ ମତାମତ ଲୋଡିଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଗ୍ରାହକଙ୍କୁ ଏହି ସବୁ ଆପ୍ ଗୁଡ଼ିକରେ ଆଉ ମାଗଣା କଲିଂ ସୁବିଧା ମିଳିବନି । ଏହାପୂର୍ବରୁ ଟ୍ରାଇ ପ୍ରଥମେ ୨୦୦୮ରେ ଏପରି ପ୍ରସ୍ତାବ ଫେରାଇ ଦେଇଥିଲା । ଟେଲିକମ ବିଭାଗ ପୁଣି ଏହି ପ୍ରସଙ୍ଗରେ ଟ୍ରାଇ ଠାରୁ ମତାମତ ଲୋଡିଛି ।

ଟ୍ରାଇର ମୂଳ ସୁପାରିସ ୨୦୦୮ରେ ଫେରାଇ ଦିଆଯାଇଥିଲା । ଟେଲିଫୋନ୍ ନେଟୱାର୍କ ମାଧ୍ୟମରେ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ଇଣ୍ଟରନେଟ୍ କଲିଂ ସୁବିଧା ପ୍ରଦାନ କରିବାକୁ ଅନୁମତି ଦିଆଯାଉ ବୋଲି ସୁପାରିସ କରିଥିଲା ଟ୍ରାଇ। ତେବେ ଏଥିପାଇଁ ଇଣ୍ଟର କନେକ୍ସନ ଚାର୍ଜ ଲାଗିବ । ଏହାଛଡ଼ା ବୈଧ ଇଣ୍ଟରସେପ୍ଟ ଉପକରଣ ସ୍ଥାପନ କରିବାକୁ ପଡିବ ଏବଂ ଅନେକ ସୁରକ୍ଷା ଏଜେନ୍ସିର ଗାଇଡଲାଇନ୍ ପାଳନ କରିବାକୁ ପଡ଼ିବ। ୨୦୧୬-୧୭ରେ ଏହି ପ୍ରସଙ୍ଗ ପୁଣି ଥରେ ଉଠିଥିଲା ​​ଯେତେବେଳେ ‘ନେଟ୍ ନ୍ୟୁଟ୍ରାଲିଟି’ କୁ ନେଇ ବିତର୍କ ସୃଷ୍ଟି ହୋଇଥିଲା । ତେବେ ଟେଲିକମ ବିଭାଗ ଏବେ ଏହି ପ୍ରସ୍ତାବ ଉପରେ ବିଚାର କରୁଛି।

ଟେଲିକମ୍ ଅପରେଟରମାନେ ଦୀର୍ଘ ଦିନ ଧରି ସମସ୍ତ ଇଣ୍ଟରନେଟ୍ ଆଧାରିତ କଲିଂ ଏବଂ ମେସେଜିଂ ସେବା ପାଇଁ ଏକ ସମାନ ଆଇନ ଦାବି କରିଆସୁଛନ୍ତି। ଏହାଛଡ଼ା ସେମାନେ ସମାନ ଲାଇସେନ୍ସ ଫି ପାଇଁ ଦାବି କରୁଛନ୍ତି। ଯଦି ଟେଲିକମ ଅପରେଟରଙ୍କ ଦାବି ସରକାର ମାନି ନିଅନ୍ତି, ତେବେ ଗୁଗୁଲ୍ ଡୁଓ, ହ୍ବାଟସଆପ୍, ଇନଷ୍ଟାଗ୍ରାମ, ଫେସବୁକ୍ ମେସେଞ୍ଜର, ସିଗନାଲ୍, ଟେଲିଗ୍ରାମ ସହ ଅନ୍ୟ ଆପ୍ ଦ୍ବାରା କଲିଂ ପାଇଁ ଗ୍ରାହକଙ୍କ ଠାରୁ ଚାର୍ଜ ଆଦାୟ କରାଯିବ। ଏହା ଦେଖିବାକୁ ରହିଲା ଯେ ସେବା ଶୁଳ୍କ ଏବଂ ଟାରିଫ୍ କିପରି ଲାଗୁ ହେବ ଓ କେତେ ଚାର୍ଜ କରାଯିବ।

Exit mobile version