Site icon ଆଜିକାଲି

କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଦୌଡରେ ସିଦ୍ଧରମୈୟା ଓ ଶିବକୁମାର‌

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ସହ କଂଗ୍ରେସ କର୍ଣ୍ଣାଟକରେ ସରକାର ଗଢ଼ିବାକୁ ଯାଉଛି । ସଦ୍ୟତମ ଟ୍ରେଣ୍ଡ ଅନୁଯାୟୀ ୨୨୪ଟି ଆସନ ମଧ୍ୟରୁ କଂଗ୍ରେସ ଦଳ ୧୩୯ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ବିଜେପି ମାତ୍ର ୬୨ଟି ଆସନରେ ଅଗ୍ରଣୀ ରହିଛି।

କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢ଼ିବା ସ୍ପଷ୍ଟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳର ଦୁଇ ବରିଷ୍ଠ ନେତା ସିଦ୍ଧରମୈୟା ଓ ଡିକେ ଶିବକୁମାର ହେଉଛନ୍ତି ମୁଖ୍ୟ ଦାବିଦାର । ସିଦ୍ଧରମୈୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି ଓ ସମ୍ପ୍ରତି ବିରୋଧୀ ଦଳ ନେତା ଅଛନ୍ତି । ଡିକେ ଶିବକୁମାର ହେଉଛନ୍ତି ରାଜ୍ୟ କଂଗ୍ରେସର ସଭାପତି ।

ତେବେ ମୁଖ୍ୟମନ୍ତ୍ରୀ ରେସରେ ସିଦ୍ଧରମୈୟା ଆଗରେ ରହିଥିବା ଜଣାପଡିଛି। ଏହା ତାଙ୍କର ଶେଷ ନିର୍ବାଚନ । ଏହା ପରେ ସେ ରାଜନୀତିରୁ ଅବସର ନେବେ ବୋଲି ସିଦ୍ଧରମୈୟ ଘୋଷଣା କରିଥିଲେ। ତେଣୁ କଂଗ୍ରେସ ସିଦ୍ଧରମୈୟାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ପଦ ଦେଇପାରେ। ତେବେ ଏନେଇ ସିଦ୍ଧରମୈୟାଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, କଂଗ୍ରେସ ଏପର୍ଯ୍ୟନ୍ତ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। ସେ ବି ଏହି ପଦ ପାଇଁ ଜଣେ ଦାବିଦାର | ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ହାଇ କମାଣ୍ଡ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସିଦ୍ଧରମୈୟା ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିଥିଲେ ।

କଂଗ୍ରେସରେ ଏକ ପରମ୍ପରା ରହିଛି ଦଳ କୌଣସି ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ପ୍ରକାଶ କରେ ନାହିଁ। କର୍ଣ୍ଣାଟକରେ ମଧ୍ୟ ଦଳ ଗଣତାନ୍ତ୍ରିକ ଉପାୟରେ ମୁଖ୍ୟମନ୍ତ୍ରୀ ଚୟନ କରିଆସିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ପ୍ରଥମେ ନିର୍ବାଚିତ ଦଳୀୟ ବିଧାୟକମାନଙ୍କ ମତାମତ ନେବ। ଏହାପରେ ‘ହାଇ କମାଣ୍ଡ’ଙ୍କ ଉପରେ ନିଷ୍ପତ୍ତି ଛଡ଼ାଯିବ |

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡିକେ ଶିବକୁମାର ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ଦାବିଦାର। ନିର୍ବାଚନରେ ବିଜୟର ଶ୍ରେୟ ମଧ୍ୟ ତାଙ୍କୁ ଦିଆଯାଉଛି ।

ବିଧାନସଭା ନିର୍ବାଚନରେ ଦଳର ବିଜୟ ନିଶ୍ଚିତ ହେବା ପରେ ଶିବକୁମାର ଭାବପ୍ରବଣ ହୋଇଯାଇଥିଲେ । ରାଜ୍ୟରେ ଦଳର ନେତୃତ୍ଵ ପାଇଁ ତାଙ୍କ ଉପରେ ଭରସା ପ୍ରକଟ କରିଥିବାରୁ ସେ ଗାନ୍ଧୀ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି। ଶିବକୁମାର କହିଛନ୍ତି, ସେ କର୍ଣ୍ଣାଟକରେ ଦଳର ବିଜୟ ନିଶ୍ଚିତ କରିବେ ବୋଲି ଦଳର ହାଇ କମାଣ୍ଡକୁ ପ୍ରତିଶ୍ରୁତି ଦେଇଥିଲେ।

ଭୋଟ୍ ଗଣତି ଦିନକ ପୂର୍ବରୁ ଅର୍ଥାତ୍ ଶୁକ୍ରବାର ଶିବକୁମାର ଗତ ତିନି ବର୍ଷ ଧରି ଦଳ ପାଇଁ ସେ କରିଥିବା ପରିଶ୍ରମର ଏକ ଟ୍ରେଲର ଭିଡ଼ିଓ ସେୟାର କରି ମୁଖ୍ୟମନ୍ତ୍ରୀ ପଦ ପାଇଁ ପରୋକ୍ଷରେ ନିଜ ଦାବିଦାରି ଉପସ୍ଥାପନ କରିଥିଲେ । କିନ୍ତୁ ମନି ଲଣ୍ଡରିଂ ଓ ଟିକସ ଫାଙ୍କିବା ଭଳି ଅଭିଯୋଗ ତାଙ୍କ ମୁଖ୍ୟମନ୍ତ୍ରୀ ହେବା ପଥରେ ବାଧକ ସାଜିପାରେ।

Exit mobile version