ନୂଆଦିଲ୍ଲୀ: ଧାରା ୩୭୦ ମାମଲାରେ ସୁପ୍ରିମକୋର୍ଟରେ ହାଜର ହୋଇଥିବା ଜମ୍ମୁର ଅଧ୍ୟାପକ ଜାଫୁର ଅହମ୍ମଦ ଭଟ୍ଟଙ୍କ ନିଲମ୍ବନ ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି।ସୁପ୍ରିମକୋର୍ଟ ସୋମବାର ସରକାରଙ୍କୁ ଅଧ୍ୟାପକଙ୍କ ନିଲମ୍ବନ ଉପରେ ପ୍ରଶ୍ନ କରିଛନ୍ତି । ଗତ ସପ୍ତାହରେ ଶୁଣାଣି ସମୟରେ ଜାଫୁର ଅହମ୍ମଦ ଭଟ୍ଟ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ।
ବରିଷ୍ଠ ଓକିଲ କପିଲ ସିବଲ ଅଧ୍ୟାପକଙ୍କ ନିଲମ୍ବନ ପ୍ରସଙ୍ଗ କୋର୍ଟରେ ଉଠାଇଥିଲେ । ସିବଲ କହିଥିଲେ ଯେ ଭଟ୍ଟ କୋର୍ଟରେ ହାଜର ହେବା ପାଇଁ ଦୁଇ ଦିନ ଛୁଟି ନେଇଥିଲେ, କିନ୍ତୁ ସେ ଫେରିବା କ୍ଷଣି ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ଠିକ୍ ନୁହେଁ ବୋଲି ସିବଲ କହିଥିଲେ । ନିଲମ୍ବନ ସହ ଜଡିତ ଦସ୍ତାବିଜ କୋର୍ଟରେ ଉପସ୍ଥାପନ କରାଯିବ ବୋଲି ଆଟର୍ଣ୍ଣି ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ।
ଏସଜି ତୁଷାର ମେହେଟ୍ଟା କହିଛନ୍ତି, ‘ମୁଁ ଖବର କାଗଜରୁ ଅଧ୍ୟାପକଙ୍କ ନିଲମ୍ବନ ବିଷୟ ଜାଣିଲି । ଖବରକାଗଜରେ ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ସତ ହୋଇନପାରେ । ଅନ୍ୟାନ୍ୟ ସମସ୍ୟା ମଧ୍ୟ ଥାଇପାରେ ।
ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଆଡଭୋକେଟ ଜେନେରାଲ ଆର୍ ଭେଙ୍କଟାରମଣିଙ୍କୁ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ କ’ଣ ପ୍ରକୃତରେ ହୋଇଛି ଦେଖିବାକୁ କହିଛନ୍ତି । କୋର୍ଟରେ ହାଜର ହେବା ପରେ ଅଧ୍ୟାପକଙ୍କୁ କାହିଁକି ନିଲମ୍ବନ କରାଯାଇଛି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି ।
ଅଧ୍ୟାପକ ଜାଫୁର ଅହମ୍ମଦ ଭଟ୍ଟ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଯେଉଁଭଳି ଉଚ୍ଛେଦ କରାଗଲା ତାହା ଉପରେ ପ୍ରଶ୍ନ ଉଠାଇଥିଲେ। ଛାତ୍ରମାନଙ୍କୁ ଭାରତୀୟ ସମ୍ବିଧାନ ଏବଂ ଗଣତନ୍ତ୍ର ପଢ଼ାଇବାରେ ସେ ଅସହଜ ମନେ କରୁଛନ୍ତି । ସେ କୋର୍ଟଙ୍କୁ କହିଥିଲେ, ‘ଯେତେବେଳେ ଆମେ ଜମ୍ମୁ କାଶ୍ମୀରର ଛାତ୍ରମାନଙ୍କୁ ସମ୍ବିଧାନ ବିଷୟରେ ପଢ଼ାଉଛୁ, ମୋ ଭଳି ଜଣେ ଶିକ୍ଷକଙ୍କ ପାଇଁ ଏହା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ହେଉଛି । ଛାତ୍ରମାନେ ବେଳେବେଳେ ବହୁତ ଜଟିଳ ପ୍ରଶ୍ନ ପଚାରୁଛନ୍ତି | ଉଦାହରଣ ସ୍ୱରୂପ, ଅଗଷ୍ଟ ୫, ୨୦୧୯ରେ ଯାହା ଘଟିଲା, ତାହା ପରେ ବି ଗଣତନ୍ତ୍ର ଅଛି ବୋଲି ଆମେ କହିପାରିବା କି? ଭଟ୍ଟ କହିଛନ୍ତି- ଏଭଳି ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷେ ବର୍ତ୍ତମାନ ବହୁତ କଷ୍ଟକର ହୋଇପଡିଛି ।