Site icon ଆଜିକାଲି

ପତ୍ନୀ ହସିନ ଜାହାଁଙ୍କ ସଙ୍ଗୀନ୍ ଅଭିଯୋଗ, ବିଦେଶ ଗସ୍ତରେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖୁଛନ୍ତି ଶାମି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ବିରୋଧରେ ପତ୍ନୀ ହସିନ ଜାହାଁ ଯୌତୁକ ଦାବି କରିବା ଏବଂ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଭଳି ସଙ୍ଗୀନ୍ ଆରୋପ ଲଗାଇଛନ୍ତି।

ସୁପ୍ରିମକୋର୍ଟରେ ଦାୟର ତାଙ୍କ ପିଟିସନରେ ଶାମିଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି ହସିନ୍ ଜାହାଁ । ଶାମି ଭାରତୀୟ କ୍ରିକେଟ୍ ଦଳ ସହିତ ବିଦେଶ ଗସ୍ତ ସମୟରେ ଯୌନ କର୍ମୀଙ୍କ ସହ ସମ୍ପର୍କ ରଖୁଛନ୍ତି ବୋଲି ହସିନ୍ ଅଭିଯୋଗ କରିଛନ୍ତି ।

କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହସିନ୍ ଜାହାଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ହସିନ୍ ଜାହାଁ ଏବଂ ମହମ୍ମଦ ଶାମିଙ୍କ ମଧ୍ୟରେ ବିବାଦ ନେଇ ସ୍ଥାନୀୟ ଏକ ସେସନ୍ସ କୋର୍ଟର ନିର୍ଦ୍ଦେଶକୁ ହାଇକୋର୍ଟ କାଏମ ରଖିଥିଲେ। ଶାମିଙ୍କ ବିରୋଧରେ ଜାରି ଗିରଫ ୱାରେଣ୍ଟ ଉପରେ ସେସନ୍ସ କୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ। ଏହାକୁ କୋଲକାତା ହାଇକୋର୍ଟ କାଏମ ରଖିଥିଲେ ।

ପତ୍ନୀ ହସିନ୍ ଜାହାଁଙ୍କ ସମସ୍ତ ଅଭିଯୋଗକୁ ଶାମି ପୂର୍ବରୁ ଖଣ୍ଡନ କରିଛନ୍ତି। ହସିନ୍ ଜାହାନ ତାଙ୍କ ୨୦ ପୃଷ୍ଠାର ଆବେଦନରେ ଅଭିଯୋଗ କରିଛନ୍ତି ଯେ ମହମ୍ମଦ ଶାମି ବିବାହ ପରେ ଯୌତୁକ ଦାବି କରିଥିଲେ । ସେ ଯୌନ କର୍ମୀଙ୍କ ସହ ସମ୍ପର୍କ ରଖୁଛନ୍ତି।

ହାସିନ୍ ଦାବି କରିଛନ୍ତି ଯେ ଶାମି ବିସିସିଆଇ ଉପଲବ୍ଧ କରାଉଥିବା ହୋଟେଲ ରୁମରେ ଯୌନ କର୍ମୀଙ୍କ ସେବା ନେଉଛନ୍ତି। ହସିନ୍ ଜାହାଁ ପ୍ରଥମେ ୨୦୧୮ରେ ଶାମିଙ୍କ ବିରୋଧରେ ଘରୋଇ ନିର୍ଯାତନା, ହିଂସା ଏବଂ ପରକୀୟା ପ୍ରୀତି ନେଇ ଅଭିଯୋଗ କରିଥିଲେ। ଏହି ମାମଲାରେ କୋଲକାତା ପୋଲିସର ମହିଳା କ୍ରାଇମବ୍ରାଞ୍ଚ ଶାମି ଏବଂ ତାଙ୍କ ଭାଇ ମହମ୍ମଦ ହସିବଙ୍କୁ ପଚରାଉଚରା କରିଥିଲା।

ମହମ୍ମଦ ଶାମିଙ୍କ ବିରୋଧରେ ଅଲିପୁର କୋର୍ଟ ଗିରଫ ୱାରେଣ୍ଟ ମଧ୍ୟ ଜାରି କରିଥିଲେ। ତେବେ ପରେ ଏହି ୱାରେଣ୍ଟ ଉପରେ ସ୍ଥଗିତାଦେଶ ଜାରି କରାଯାଇଥିଲା । ହସିନ୍ ଜାହାଁ ମଧ୍ୟ ଶାମିଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ କରିଥିଲେ । ତେବେ ବିସିସିଆଇ ଏହାର ତଦନ୍ତ କରି ଶାମିଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା ।

ଚଳିତ ବର୍ଷ ଜାନୁଆରୀରେ କୋଲକାତା କୋର୍ଟ ହସିନ୍ ଜାହାଁଙ୍କୁ ପ୍ରତି ମାସରେ ୫୦,୦୦୦ ଟଙ୍କା ଦେବାକୁ ଶାମିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମହମ୍ମଦ ଶାମିଙ୍କ ଠାରୁ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ଭରଣ ପୋଷଣ ଭତ୍ତା ଦାବି କରିଥିଲେ ଜାହାଁ। ତେବେ ତାଙ୍କର ଏହି ଦାବି ଉପରେ ଏପର୍ଯ୍ୟନ୍ତ କୌଣସି ଫଏସଲା ହୋଇନାହିଁ ।

Exit mobile version