Site icon ଆଜିକାଲି

୩୮ ବର୍ଷର ଧାରା ଭାଙ୍ଗିବ କି ବିଜେପି ନା କ୍ଷମତାକୁ ଫେରିବ କଂଗ୍ରେସ ? ଆଜି ଆସିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ : ବିଜେପି ୩୮ ବର୍ଷର ଧାରା ଭାଙ୍ଗିବ ନା କ୍ଷମତାକୁ ଫେରିବ କଂଗ୍ରେସ ? ଜେଡିଏସ୍ କରିବ କି ଚମତ୍କାର ? ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ ଏହି ସବୁ ଉତ୍କଣ୍ଠାପୂର୍ଣ୍ଣ ପ୍ରଶ୍ନର ଉତ୍ତର । କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଆଜି (ମେ ୧୩) ପ୍ରକାଶ ପାଇବ । ନେତାଙ୍କ ଠାରୁ ଜନତା ସମସ୍ତଙ୍କ ନଜର ଏହି ଦକ୍ଷିଣ ରାଜ୍ୟ ଉପରେ ରହିଛି । କ୍ଷମତା ବଜାୟ ରଖିବା ବିଜେପି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାକୁ ବ୍ୟାକୁଳ। ଅନ୍ୟପକ୍ଷରେ ଏକଜିଟ୍ ପୋଲରେ ଝୁଲା ବିଧାନସଭା ସମ୍ଭାବନା ନେଇ ଜେଡିଏସ୍ ମଧ୍ୟ ବହୁତ ଉତ୍ସାହିତ ରହିଛି। ଏଭଳି ସ୍ଥଳେ ଦଳ ‘କିଙ୍ଗମେକର’ ସାଜିବ।

ବିଜେପିର ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ, କଂଗ୍ରେସ ଭେଟେରାନ୍ ସିଦ୍ଧରମୈୟା ଏବଂ ଡି.କେ ଶିବକୁମାର ଓ ଜେଡିଏସର ଏଚଡି କୁମାରସ୍ୱାମୀଙ୍କ ସମେତ ବରିଷ୍ଠ ନେତାଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ । ଅଧିକାଂଶ ଏକଜିଟ୍ ପୋଲ୍ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ନେଇ ପୂର୍ବାନୁମାନ କରିଛନ୍ତି ।

ରାଜ୍ୟର ୩୬ଟି କେନ୍ଦ୍ରରେ ସକାଳ ୮ ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି | ଅପରାହ୍ନ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି । ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ସାରା ରାଜ୍ୟରେ, ବିଶେଷକରି ଗଣତି କେନ୍ଦ୍ରରେ ଏବଂ ଏହାର ଆଖପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ମେ ୧୦ରେ ଭୋଟ୍ ଗ୍ରହଣ ହୋଇଥିଲା । ମତଦାନ ପ୍ରତିଶତ ୭୩.୧୯ ରେକର୍ଡ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଷ୍ଟାର ପାଓ୍ବାର ବଳରେ ଶାସକ ବିଜେପି ୩୮ ବର୍ଷର ଧାରା ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି । ୧୯୮୫ ପରଠୁ କର୍ଣ୍ଣାଟକର ଜନତା କ୍ଷମତାସୀନ ଦଳକୁ କ୍ରମାଗତ ଦ୍ବିତୀୟ ସୁଯୋଗ ଦେଇନାହାଁନ୍ତି । ଅର୍ଥାତ୍ ପ୍ରତି ପାଞ୍ଚ ବର୍ଷରେ ସରକାର ବଦଳିଛି । ଅନ୍ୟପକ୍ଷରେ କଂଗ୍ରେସ ମନୋବଳ ବଢ଼ାଇବା ଭଳି ବିଜୟ ନେଇ ଆଶାବାଦୀ ଅଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡାଙ୍କ ନେତୃତ୍ବାଧୀନ ଜେଡି (ଏସ୍) ‘କିଙ୍ଗମେକର’ ଅବା ‘କିଙ୍ଗ୍’ ଭାବ ଉଭା ହେବ କି ନାହିଁ ତାହା ମଧ୍ୟ ଦେଖିବାକୁ ରହିଲା।

ବିଗତ ଦୁଇ ଦଶନ୍ଧି ଧରି କର୍ଣ୍ଣାଟକରେ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳିଛି । ଅଧିକାଂଶ ନିର୍ବାଚନମଣ୍ଡଳୀରେ ତିନି ଦଳ ମଧ୍ୟରେ ସିଧାସଳଖ ଟକ୍କର ହୋଇଛି। ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟ କର୍ଣ୍ଣାଟକ ନିର୍ବାଚନରେ ପ୍ରାର୍ଥୀ ଦେଇଥିଲା । ଏହାଛଡ଼ା କିଛି ଛୋଟ ଦଳ ମଧ୍ୟ କିଛି ନିର୍ବାଚନମଣ୍ଡଳୀରେ ମୈଦାନକୁ ଓହ୍ଲାଇଥିଲେ ।

୨୦୧୮ ନିର୍ବାଚନରେ ବିଜେପି ୧୦୪ଟି ଆସନ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। କଂଗ୍ରେସ ୮୦ ଏବଂ ଜେଡିଏସ୍ ୩୭ଟି ଆସନ ଜିତିଥିଲେ। ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଜୟୀ ହୋଇଥିଲେ । ବିଏସପି ଏବଂ କର୍ଣ୍ଣାଟକ ପ୍ରଜ୍ଞାବନ୍ତ ଜନତା ପାର୍ଟି (କେପିଜେପି)ର ଜଣେ ଲେଖାଏଁ ବିଧାୟକ ନିର୍ବାଚିତ ହୋଇଥିଲେ ।

Exit mobile version