Site icon ଆଜିକାଲି

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ପୁଅ ସହ ମିଶି ସ୍ବାମୀକୁ ୨୨ ଖଣ୍ଡ କଲେ ମହିଳା

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ମାମଲା ସାମ୍ନାକୁ ଆସିଛି । ପୁଅ ସହ ମିଶି ଜଣେ ମହିଳା ସ୍ବାମୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୨୨ ଖଣ୍ଡ କରି କାଟି ବିଭିନ୍ନ ସ୍ଥାନରେ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ୍ ଅଭିଯୁକ୍ତ ମା-ପୁଅକୁ ଗିରଫ କରିଛି।

ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ଅଞ୍ଜନ ଦାସ । ପୋଲିସ ଦାବି କରିଛି ଯେ ମହିଳା ଏବଂ ତାଙ୍କ ପୁଅ ମିଶି ଅଞ୍ଜନ ଦାସଙ୍କୁ ହତ୍ୟା କରି ଶବକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ପରେ ସେମାନେ ତାହା ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ। ଏହି ହତ୍ୟାକାଣ୍ଡକୁ ଦିଲ୍ଲୀର ମେହରୌଲି ହତ୍ୟାକାଣ୍ଡ ସହିତ ତୁଳନା କରାଯାଉଛି। ମେହରୌଲିରେ ଆଫତାବ୍ ପୁନାଓ୍ବାଲା ନାମକ ଜଣେ ଯୁବକ ତା’ର ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ଓ୍ବାଲକରଙ୍କୁ ହତ୍ୟା କରି ମୃତଦେହକୁ ୩୫ ଖଣ୍ଡରେ କାଟି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା । ଦିଲ୍ଲୀରେ ଶ୍ରଦ୍ଧା ଭଳି ହତ୍ୟା ମାମଲାର ପର୍ଦ୍ଦାଫାସ୍ ହେବା ପରେ ଗଣମାଧ୍ୟମକୁ ଦିଲ୍ଲୀ ପୋଲିସ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛି।

ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଡିସିପି ଅମିତ ଗୋୟଲ କହିଛନ୍ତି, “ଜୁନ ୨ ତାରିଖରେ ରାମଲୀଳା ମୈଦାନରେ ଜଣେ ବ୍ୟକ୍ତିଙ୍କ ଶରୀରର କିଛି କଟା ଅଂଶ ମିଳିଥିଲା। ଏହା ପରେ ଲଗାତାର ତିନି ଦିନ ଧରି ପ୍ରଥମେ ଦୁଇ ଗୋଡ, ଦୁଇ ଜଙ୍ଘ ଏବଂ ତା’ପରେ ଏକ ଆଉ କିଛି କଟା ଅଙ୍ଗ ମିଳିଥିଲା। ଏନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆରମ୍ଭରେ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ବହୁତ କଷ୍ଟ ହୋଇଥିଲା | ବହୁ ଉଦ୍ୟମ ସତ୍ତ୍ୱେ ମୃତବ୍ୟକ୍ତିର ପରିଚୟ ମିଳିପାରିନଥିଲା। ଦିଲ୍ଲୀ ପୋଲିସର ଅନେକ ଟିମ୍ ଏହି କେସ୍ ଉପରେ କାମ କରୁଥିଲେ। ଶେଷରେ ଆମର ନୂଆଦିଲ୍ଲୀ ରେଞ୍ଜର ଟିମ୍ ଏହି ମାମଲାରେ ସଫଳତା ହାସଲ କରିଥିଲା । ”

ପୋଲିସର କହିବାନୁସାରେ, ” ଏହି ଟିମ୍ ବିଭିନ୍ନ ସିସିଟିଭି ଫୁଟେଜ୍ ଦେଖି ସେଗୁଡ଼ିକ ବିଶ୍ଳେଷଣ କରି ଘର ଘର ଯାଞ୍ଚ କରିଥିଲେ। ପ୍ରାରମ୍ଭରେ ସେମାନଙ୍କୁ ସଫଳତା ମିଳିନଥିଲା। କିନ୍ତୁ ଶେଷରେ ପୋଲିସର ସନ୍ଦେହ ହୋଇଥିଲା ଯେ ମୃତ ବ୍ୟକ୍ତି ଅଞ୍ଜନ ଦାସ ହୋଇପାରନ୍ତି। ପୋଲିସ ଯେତେବେଳେ ଅଞ୍ଜନ ଦାସଙ୍କ ଘରକୁ ଯାଇ ଯାଞ୍ଚ କରିଥିଲା, ସେ ପାଞ୍ଚ ମାସ ହେବ ନିଖୋଜ ଅଛନ୍ତି ବୋଲି ଜଣାପଡିଥିଲା । କିନ୍ତୁ ଏନେଇ ତାଙ୍କ ପରିବାର ଲୋକ ପୋଲିସ ଥାନାରେ କୌଣସି ଅଭିଯୋଗ କରିନଥିଲେ । ତେଣୁ ଅଞ୍ଜନ ଦାସଙ୍କ ଘରଲୋକଙ୍କ ଉପରେ ପୋଲିସର ସନ୍ଦେହ ବଢିଥିଲା।

ଡିସିପି କହିଛନ୍ତି, “ଏହା ପରେ ଆମେ ନିଶ୍ଚିତ ହୋଇଥିଲୁ ଯେ ଅଞ୍ଜନ ଦାସଙ୍କ ପତ୍ନୀ ପୁନମ ଏବଂ ପୁଅ ଦୀପକ ହିଁ ଏହି ମାମଲାର ଅଭିଯୁକ୍ତ । ସିସିଟିଭି ଫୁଟେଜରେ ଉଭୟ ମା ଏବଂ ପୁଅ କଏଦ୍ ହୋଇଥିଲେ । ପଚରାଉଚରା ପରେ ସେମାନେ ନିଜ ଅପରାଧ ସ୍ୱୀକାର କରିଥିଲେ। ଦିଲ୍ଲୀ ପୋଲିସ କହିଛି ଯେ ହତ୍ୟା ସମୟରେ ବ୍ୟବହୃତ ପୋଷାକ ସେମାନେ ଜବତ କରିଛନ୍ତି। ଏହା ସହିତ ମୃତକଙ୍କ ଫୋନ୍ ମଧ୍ୟ ଜବତ ହୋଇଛି।” ପୋଲିସ କହିଛି ଯେ ଅଞ୍ଜନ ଦାସ ୨୦୧୧ ମସିହାରୁ ଏହି ମହିଳାଙ୍କ ସହ ରହି ଆସୁଥିଲେ।

ଗୋୟଲ କହିଛନ୍ତି, “ଏହି ମହିଳା ୨୦୧୭ରେ ଅଞ୍ଜନ ଦାସଙ୍କୁ ବିବାହ କରିଥିଲେ। ଏହାପୂର୍ବରୁ ଏହି ମହିଳା କାଲୁ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଯାହାଙ୍କ ୨୦୧୬ରେ ମୃତ୍ୟୁ ହୋଇଥିଲା। ଗିରଫ ଯୁବକ ଦୀପକ ହେଉଛି କାଲୁଙ୍କ ପୁଅ। ଦୀପକ ନିଜ ବିବାହ ପରେ ଅଲଗା ରହୁଥିଲା ।

ପୋଲିସର ସୂଚନାନୁସାରେ, “ଅଞ୍ଜନ ଦାସ ପୂର୍ବରୁ ବିହାରରେ ଜଣେ ମହିଳାଙ୍କୁ ବିବାହ କରିଥିଲେ। ପ୍ରଥମ ବିବାହରୁ ତାଙ୍କର ୮ ସନ୍ତାନ ଥିଲେ । ଏହି କଥା ସେ ପୁନମଙ୍କୁ କହିନଥିଲେ । ଏହାଛଡ଼ା ପୁନମଙ୍କ ଅଳଙ୍କାର ବିକି ଅଞ୍ଜନ ତାଙ୍କ ପ୍ରଥମ ପତ୍ନୀଙ୍କ ନିକଟକୁ ଟଙ୍କା ପଠାଇଥିଲେ। ଅଞ୍ଜନ ନିଜେ ବେଶୀ ରୋଜଗାର କରୁନଥିଲେ । ତେଣୁ ନିଜ ଖର୍ଚ୍ଚ ପାଇଁ ସେ ପୁନମଙ୍କ ଉପରେ ନିର୍ଭରଶୀଳ ଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଏହାଛଡ଼ା ଦୀପକର ପତ୍ନୀକୁ ଅଞ୍ଜନ ଖରାପ ଦୃଷ୍ଟିରେ ଦେଖୁଥିଲେ । ପୁନମଙ୍କ ଭଉଣୀକୁ ମଧ୍ୟ ଅଞ୍ଜନ ହଇରାଣ କରୁଥିଲେ । ଏହି କାରଣରୁ ଅଞ୍ଜନଙ୍କୁ ହତ୍ୟା କରିବା ପାଇଁ ଦୀପକ ଏବଂ ପୁନମ୍ ଯୋଜନା କରିଥିଲେ । ମେ ୩୦ରେ ଘରେ ଅଞ୍ଜନଙ୍କୁ ପୁନମ ଓ ଦୀପକ ପ୍ରଥମେ ମଦରେ ନିଜ ବଟିକା ମିଶାଇ ପିଇବାକୁ ଦେଇଥିଲେ । ସେ ଶୋଇପଡ଼ିବା ପରେ ମା’ପୁଅ ମିଶି ତାଙ୍କୁ ତଣ୍ଟି କାଟି ହତ୍ୟା କରିଥିଲେ ।

Exit mobile version