Site icon ଆଜିକାଲି

ମହିଳା ଏସିଆ କପ୍‌ : ଶ୍ରୀଲଙ୍କାକୁ ହରାଇଲା ଭାରତ

ସିଲ୍‌ହଟ୍‌ : ମହିଳା ଏସିଆ କପ୍‌ରେ ଦମ୍‌ଦାର ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ । ଶନିବାର ନିଜର ପ୍ରଥମ ମୁକାବିଲାରେ ହର୍ମନପ୍ରୀତ୍‌ କୌରଙ୍କ ଭାରତୀୟ ଦଳ ୪୧ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଉଭୟ ଦଳ ପକ୍ଷରୁ ଏକମାତ୍ର ଅର୍ଦ୍ଧଶତକ ଜମାଇଥିବା ଜେମିମା ରଦ୍ରିଗ୍ବେଜ (୭୬ ରନ୍‌, ୫୩ ବଲ୍‌, ୧୧ ଚୌକା, ୧ ଛକା) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହା ମଧ୍ୟ ରଦ୍ରିଗ୍ବେଜ୍‌ଙ୍କ କ୍ୟାରିୟର ଶ୍ରେଷ୍ଠ ସ୍କୋର୍‌ ଥିଲା।

ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା। ଦୁଇ ପ୍ରାରମ୍ଭିକ ବୋଲର ସୁଗନ୍ଦିକା କୁମାରୀ ଏବଂ ଓସାଡ଼ି ରଣସିଂଘେ ଭଲ ବୋଲିଂ କରି ଭାରତୀୟ ଓପ୍‌ନର ଶେଫାଳି ବର୍ମା (୧୦) ଓ ସ୍ମୃତି ମନ୍ଧାନା (୫)ଙ୍କୁ ୨୩ ରନ୍‌ ମଧ୍ୟରେ ପାଭିଲିୟନ୍‌ ପଠାଇ ଦେଇଥିଲେ। ତେବେ ରଦ୍ରିଗ୍ବେଜଙ୍କ ସହ କ୍ରିଜ୍‌ରେ ଯୋଗଦେଇ ଅଧିନାୟିକା ହର୍ମନପ୍ରୀତ୍‌ (୩୩ ରନ୍‌, ୩୦ ବଲ୍‌, ୨ ଚୌକା, ୧ ଛକା) ଭାରତ ପାଳିକୁ ସଜାଡ଼ିଥିଲେ। ଦୁହେଁ ତୃତୀୟ ୱିକେଟ୍‌ରେ ୯୨ ରନ୍ ଯୋଡ଼ିବା ପରେ ୧୧ ବଲ୍‌ ଅନ୍ତରରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ କେବଳ ଦୟାଲନ ହେମଲତା (୧୩* ରନ୍‌, ୧୦ ବଲ୍‌, ୧ ଚୌକା) ଦୁଇ ଅଙ୍କ ଛୁଇଁଥିଲା ବେଳେ ରିଚା‌ ଘୋଷ (୯) ଓ ପୂଜା ବସ୍ତ୍ରକାର (୧) ଆଉଟ୍‌ ହୋଇଥିଲେ। ଫଳରେ ଭାରତ ୬ ୱିକେଟ୍‌ ବିନିମୟରେ ୧୫୦ ରନ୍‌ କରିପାରିଥିଲା। ଶ୍ରୀଲଙ୍କା ପକ୍ଷରୁ ସଫଳ ବୋଲର ଭାବେ ଓସାଡ଼ି ରଣସିଂଘେ ୩ ୱିକେଟ୍‌ ଦଖଲ କରିଥିଲେ।

ଜବାବରେ ଦୟାଲନ ହେମଲତା (୨.୨-୦-୧୫-୩), ପୂଜା ବସ୍ତ୍ରକାର (୩-୦-୧୨-୨), ଦୀପ୍ତି ଶର୍ମା (୪-୦-୧୫-୨) ଏବଂ ରାଧା ୟାଦବ (୩-୦-୧୫-୧) ଚମତ୍କାର ବୋଲିଂ କରି ଶ୍ରୀଲଙ୍କା ପାଳିକୁ ୧୦ ବଲ୍‌ ପୂର୍ବରୁ ଶେଷ କରିଦେଇଥିଲେ। ହାସିନି ପେରେରା (୩୦), ହର୍ଷିତା ମାଧବୀ (୨୬) ଓ ଓସାଡ଼ି ରଣସିଂଘେ (୧୧)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ସତ୍ତ୍ବେ ଶ୍ରୀଲଙ୍କା ୧୮.୨ ଓଭରରେ ୧୦୯ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା।

Exit mobile version