Site icon ଆଜିକାଲି

ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍, ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ)କୁ ଅନୁମୋଦନ‌ କରିଛନ୍ତି । ଫଳରେ ଏହି ବହୁ ଚର୍ଚ୍ଚିତ ବିଲ୍ ଆଇନରେ ପରିଣତ ହୋଇଛି । ନିକଟରେ ଅନୁଷ୍ଠିତ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ବିଲ୍ ଉଭୟ ଗୃହରେ ପାରିତ ହୋଇଥିଲା । ଏହି ଆଇନ ଲାଗୁ ହେବା ପରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରହିବ।

ଆଇନରେ ପରିଣତ ହୋଇଥିଲେ ବି ମହିଳା ସଂରକ୍ଷଣ ବିଲ୍ ଏବେ ଲାଗୁ ହେବା ସମ୍ଭାବନା କମ୍। ଜନଗଣନା ଓ ଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ହିଁ ଏହି ବିଲ୍ ଲାଗୁ ହୋଇପାରେ । ୨୦୨୪ ଲୋକସଭା ନିର୍ବାଚନ ପରେ ଜନଗଣନା ହେବ । ଏହା ପରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହେବ। ବିଶେଷଜ୍ଞ କହିଛନ୍ତି ଯେ ୨୦୨୯ ଲୋକସଭା ନିର୍ବାଚନ ପରେ ହିଁ ଏହି ବିଲ୍ କାର୍ଯ୍ୟକାରୀ ହୋଇପାରେ । ଏହି ବିଲକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ।

ମୁଖ୍ୟ ବିରୋଧୀ କଂଗ୍ରେସ ସହ ଅନେକ ଦଳ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି । ଏହାଛଡ଼ା ଏଥିରେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ଓ ମୁସଲିମ ମହିଳାମାନଙ୍କ ପାଇଁ ଉପସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।

Exit mobile version