Site icon ଆଜିକାଲି

ମହିଳା ଟି-୨୦ ବିଶ୍ୱକପ : ଆଜି ଭାରତ-ପାକିସ୍ତାନ ଲଢ଼େଇ

କେପ୍ ଟାଉନ୍‌ : ପ୍ରଥମ ଆଇସିସି ଟାଇଟଲ ଲକ୍ଷ୍ୟରେ ଥିବା ଭାରତ ରବିବାର ଆଇସିସି ମହିଳା ଟି୨୦ ବିଶ୍ୱକପରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମୁକାବିଲାରୁ ଅଭିଯାନ ଆରମ୍ଭ କରିବ । ଭାରତ-ପାକିସ୍ତାନ ମ୍ୟାଚ୍ ସର୍ବଦା ଚର୍ଚ୍ଚାରେ ରହିଥାଏ । ହେଲେ ମହିଳା କ୍ରିକେଟରେ ଏହି ଦୁଇ ଦଳ ମଧ୍ୟରେ ଆକାଶ-ପାତାଳ ଫରକ ରହିଛି । ପାକିସ୍ତାନ ଉପରେ ଭାରତର ଆଧିପତ୍ୟ ରହି ଆସିଥିବାରୁ ହରମନପ୍ରୀତ କୌରଙ୍କ ଟିମକୁ ଏହି ମ୍ୟାଚ୍ ପାଇଁ ଫେଭରିଟ୍ ବିବେଚନା କରାଯାଉଛି ।

ତେବେ ଶେଷଥର ଯେବେ ଗତବର୍ଷ ଏସିଆ କପରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ, ପାକିସ୍ତାନ ବାଜି ମାରିନେଇଥିଲା । ଅତ୍ୟଧିକ ପରୀକ୍ଷା ନିରୀକ୍ଷା ଭାରତକୁ ମହଙ୍ଗା ପଡ଼ିଥିଲା । ତଥାପି ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଓ ପାକିସ୍ତାନ ମହିଳା ଦଳ ମଧ୍ୟରେ ଅନ୍ତର ବେଶ୍ ବଢିଛି । ଭାରତୀୟ ଦଳ କ୍ରମାଗତ ଭାବେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଟିମକୁ ଟକ୍କର ଦେଇ ଆସୁଥିବା ବେଳେ ପାକିସ୍ତାନ ଟିମ୍ ସେଭଳି ଆଗେଇ ପାରିନାହିଁ ।

ପ୍ରଥମ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍‌) ପାଇଁ ଖେଳାଳି ନିଲାମର ଠିକ୍ ଦିନକ ପୂର୍ବରୁ ଏହି ହାଇ ଭୋଲଟେଜ୍ ମୁକାବିଲା ଖେଳାଯିବ । ତେଣୁ ଭଲ ପ୍ରଦର୍ଶନ ଦେବାକୁ ଏହା ଭାରତୀୟ ଖେଳାଳିଙ୍କୁ ପ୍ରେରିତ କରିବ ବୋଲି ଆଶା କରାଯାଉଛି । ପାକିସ୍ତାନ ବିପକ୍ଷ ମ୍ୟାଚରୁ ଭାରତକୁ ଝଟକା ଲାଗିଛି । ଦଳର ଷ୍ଟାର ଓପନର ସ୍ମୃତି ମନ୍ଧାନା ଆଙ୍ଗୁଠିରେ ଆଘାତ ଯୋଗୁଁ ଏହି ମ୍ୟାଚ୍ ଖେଳିବେନି ।

Exit mobile version