Site icon ଆଜିକାଲି

ମହିଳା ଟି୨୦ ବିଶ୍ୱକପ: ପାକିସ୍ତାନକୁ ହରାଇଲା ଭାରତ

କେପ୍ ଟାଉନ୍‌: ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ହରାଇ ଭାରତ ଜବରଦସ୍ତ ଢଙ୍ଗରେ ମହିଳା ଟି୨୦ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଏହାର ଅଧିନାୟିକା ବିସମା ମାହାରୁଫଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ୪ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା । ଏହାର ଜବାବରେ ଭାରତ ଗୋଟିଏ ଓଭର ବାକିଥାଇ ବିଜୟଲକ୍ଷ୍ୟରେ ପହଞ୍ôଚ ଯାଇଥିଲା । ଭାରତ ତରଫରୁ ଜେମିମା ରଡ୍ରିଗ୍ୱେଜ୍ ଚିତ୍ତାକର୍ଷକ ତଥା ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ । ଜେମିମା ୩୮ଟି ବଲରେ ୮ଟି ଚୌକା ସହ ୫୩ ରନ୍ କରି ଅପରାଜିତ ରହିଥିଲେ । ତାଙ୍କୁ ଉପଯୁକ୍ତ ସମର୍ଥନ କରିଥିଲେ ରିଚା ଘୋଷ । ଏ ଦୁହେଁ ଅବିଭକ୍ତ ଚତୁର୍ଥ ୱିକେଟରେ ୫୮ ରନ୍ ଯୋଗକରି ଦଳର ବିଜୟ ନିଶ୍ଚିତ କରିଥିଲେ । ରିଚା ମାତ୍ର ୨୦ଟି ବଲରେ ୫ଟି ଚୌକ ସହ ଦ୍ରୁତ ୩୧ ରନ୍ କରି ଅପରାଜିତ ରହିଥିଲେ । ପାକିସ୍ତାନ ପ୍ରଦତ୍ତ ୧୫୦ ରନର ଚ୍ୟାଲେଞ୍ଜିଂ ଲକ୍ଷ୍ୟ ଜବାବରେ ଶେଫାଳି ବର୍ମା ଓ ୟସ୍ତିକା ଭାଟିଆ ଭାରତକୁ ଦୃଢ ଷ୍ଟାର୍ଟ ଦେଇଥିଲେ । ଦୁହେଁ ପ୍ରଥମ ୱିକେଟରେ ୩୮ ରନ୍ ଯୋଗ କରିବା ପରେ ଭାଟିଆ ୧୭ ରନ୍ କରି ସାଦିଆ ଇକବାଲଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ତେବେ ଶେଫାଳି ନିଜ ଚିରାଚରିତ ଆକ୍ରମଣାତ୍ମକ ଶୈଳୀରେ ୨୫ଟି ବଲରୁ ୪ଟି ଚୌକା ସହ ୩୩ ରନ୍ କରିଥିଲେ । ଦଳର ସ୍କୋର ୬୫ ରନ୍ ହୋଇଥିବା ବେଳେ ଶେଫାଳି ପ୍ୟାଭିଲିୟନ୍ ଫେରିଥିଲେ । କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ବ୍ୟାଟ୍ ଚାଲିନଥିଲା । ସେ ମାତ୍ର ୧୬ ରନ୍ କରି ନଶାରା ସାନ୍ଧୁଙ୍କ ଶିକାର ହେବା ପରେ ଭାରତ ୯୩ ରନରେ ୩ଟି ୱିକେଟ୍ ହରାଇଥିଲା ।

ହେଲେ ପାକିସ୍ତାନକୁ ଆଉ କୌଣସି ସୁଯୋଗ ନଦେଇ ଜେମିମା-ରିଚା ଯୋଡ଼ି ଭାରତକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ । ଦୁହେଁ ସକାରାତ୍ମକ ପ୍ରଦର୍ଶନ ସହ ଦଳର ବିଜୟ ସୁନିଶ୍ଚିତ କରିଥିଲେ । ମ୍ୟାଚ୍ ବିଜୟୀ ଇନିଂସ୍ ପାଇଁ ଜେମିମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଆଘାତ କାରଣରୁ ଷ୍ଟାର ଓପନର ସ୍ମୃତି ମନ୍ଧାନା ଏହି ମ୍ୟାଚରୁ ବଞ୍ଚିତ ହୋଇଥିଲେ । ଭାରତ ପରବର୍ତ୍ତୀ ମ୍ୟାଚରେ ଫେବୃୟାରୀ ୧୫ରେ ୱେଷ୍ଟଇଣ୍ଡିଜକୁ ଭେଟିବ ।
ପୂର୍ବରୁ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ଶୀଘ୍ର ଦୁଇ ଓପନରଙ୍କ ୱିକେଟ୍ ହରାଇଥିଲା । ଜାଭେରା ଖାନ(୮)ଙ୍କୁ ଦୀପ୍ତି ଶର୍ମା ଆଉଟ୍ କରିଥିବା ବେଳେ ମୁନିବା ଅଲ୍ଲୀ (୧୨)ଙ୍କୁ ରାଧା ଯାଦବ ନିଜ ଶିକାର ବନାଇଥିଲେ । ନିଦା ଦର ଖାତା ଖୋଲିନପାରି ପୂଜା ଭସ୍ତ୍ରାକରଙ୍କ ବଲରେ ଆଉଟ୍ ହେବା ପରେ ପାକିସ୍ତାନ ୪୩ ରନରେ ୩ ୱିକେଟ୍ ହରାଇ ଅସୁବିଧାରେ ପଡ଼ିଥିଲା । ହେଲେ କ୍ୟାପଟେନ ମାହାରୁଫ୍ ଓ ଆୟେଶା ନସୀମଙ୍କ ଲଢୁଆ ପ୍ରଦର୍ଶନ ସହାୟତାରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୪୯ ରନର ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ମାହାରୁଫ୍ ୫୫ ବଲରେ ୭ଟି ଚୌକା ସହ ଅପରାଜିତ ୬୮ ରନ୍ କରିଥିବା ବେଳେ ଆୟେଶା ମାତ୍ର ୨୫ଟି ବଲରେ ୨ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ଅପରାଜିତ ୪୩ ରନ୍ କରିଥିଲେ । ଏ ଦୁହେଁ ପଞ୍ଚମ ୱିକେଟରେ ଅପରାଜିତ ୮୧ ରନ୍ ଯୋଗ କରିଥିଲେ । ଭାରତ ତରଫରୁ ରାଧା ଯାଦବ ସର୍ବାଧିକ ୨ଟି ୱିକେଟ ନେଇଥିଲେ ।

Exit mobile version