Site icon ଆଜିକାଲି

ଦିନିକିଆ ବିଶ୍ୱକପ୍‌ ୨୦୨୩ କାର୍ଯ୍ୟସୂଚୀ ଘୋଷିତ, ଅକ୍ଟୋବର ୧୫ରେ ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମୁକାବିଲା

ମୁମ୍ବାଇ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ର ମଙ୍ଗଳବାର ୧୦୦ ଦିନିଆ ଅବଗଣନା ଅବସରରେ ଆଇସିସି ଏହି ମେଗା ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି । ଏହି ଟୁର୍ଣ୍ଣାମେଣ୍ଟର ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ | ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟରେଅ ହମ୍ମଦାବାଦରେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଆୟୋଜକ ଭାରତ ଚେନ୍ନାଇରେ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଟୁୁର୍ଣ୍ଣାମେଣ୍ଟର ସବୁଠୁ ବଡ଼ ମ୍ୟାଚ୍ ଭାରତ-ପାକିସ୍ତାନ ମୁକାବିଲା ମଧ୍ୟ ଅହମ୍ମଦାବାଦରେ ଅକ୍ଟୋବର ୧୫ରେ ଖେଳାଯିବ ।

୪୬ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ | ୨୦୧୯ର ଫର୍ମାଟ୍ ଏଥର ବି ବଜାୟ ରଖାଯାଇଛି । ଏହି ଫର୍ମାଟ ଅନୁଯାୟୀ ସମସ୍ତ ୧୦ଟି ଦଳ ପରସ୍ପର ସହ ଥରେ ଲେଖାଏଁ ଖେଳିବେ । ଶୀର୍ଷ ୪ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ ।

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଟିମ୍ ଅଂଶଗ୍ରହଣ କରିବେ | ବିଶ୍ବକପ୍ ମ୍ୟାଚ୍ ଗୁଡ଼ିକ ୧୦ଟି ଭେନ୍ୟୁରେ ଖେଳାଯିବ | ଏହି ଭେନ୍ୟୁ ଗୁଡ଼ିକ ହେଲା ଅହମ୍ମଦାବାଦ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ବେଙ୍ଗାଲୁରୁ । ଫାଇନାଲ ମ୍ୟାଚ୍ ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ସେମିଫାଇନାଲ ନଭେମ୍ବର ୧୫ରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଓ ଦ୍ୱିତୀୟ ସେମିଫାଇନାଲ ନଭେମ୍ବର ୧୬ରେ କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ହେବ।

ଆଇସିସି ଦ୍ଵାରା ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ଟିମ୍ ଇଣ୍ଡିଆ ୯ଟି ଭିନ୍ନ ଭିନ୍ନ ଭେନ୍ୟୁରେ ୯ଟି ମ୍ୟାଚ୍ ଖେଳିବ। ଦଳ ଏହାର ପ୍ରଥମ ମ୍ୟାଚ୍ ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତୀୟ ଦଳ ପୁଣି ଅକ୍ଟୋବର ୧୧ରେ ଦିଲ୍ଲୀରେ ଆଫଗାନିସ୍ତାନ ଏବଂ ପରେ ଅକ୍ଟୋବର ୧୫ରେ ପାକିସ୍ତାନ ବିପକ୍ଷରେ ଖେଳିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ଟିମ୍ ଇଣ୍ଡିଆ ଅକ୍ଟୋବର ୧୯ରେ ପୁଣେରେ ବାଂଲାଦେଶ, ଅକ୍ଟୋବର ୨୨ରେ ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ, ଅକ୍ଟୋବର ୨୯ରେ ଲକ୍ଷ୍ନୌରେ ଇଂଲଣ୍ଡ, ନଭେମ୍ବର ୨ରେ ମୁମ୍ବାଇରେ କ୍ବାଲିଫାୟର ଟିମ୍, ନଭେମ୍ବର ୫ରେ କୋଲକାତାରେ ଦକ୍ଷିଣ ଆଫ୍ରିକା ଏବଂ ନଭେମ୍ବର ୧୧ରେ ବେଙ୍ଗାଲୁରୁର ଦ୍ୱିତୀୟ କ୍ବାଲିଫାୟର ଦଳ ସହ ଖେଳିବ |

ପ୍ରଥମ ଥର ପାଇଁ ପୂରା ଦିନିକିଆ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବ | ଏହାପୂର୍ବରୁ ୧୯୮୭ରେ ଭାରତ-ପାକିସ୍ତନ, ୧୯୯୬ରେ ଭାରତ-ପାକିସ୍ତାନ-ଶ୍ରୀଲଙ୍କା ଏବଂ ୨୦୧୧ରେ ଭାରତ-ଶ୍ରୀଲଙ୍କା-ବାଂଲାଦେଶ ମିଳିତ ଭାବେ ବିଶ୍ୱକପ ଆୟୋଜନ କରିଥିଲେ। ୧୯୮୩ ମସିହାରେ କପିଲ ଦେବଙ୍କ ନେତୃତ୍ୱରେ ଏବଂ ୨୦୧୧ରେ ଏମ୍ଏସ୍ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଦୁଇଥର ବିଶ୍ୱକପ ଟାଇଟଲ ଜିତିଛି।

Exit mobile version