Site icon ଆଜିକାଲି

ଆଜି ବିଶ୍ବକପ୍ ଫାଇନାଲ୍: ତୃତୀୟ ଟାଇଟଲ୍ ଲକ୍ଷ୍ୟରେ ଭାରତ

ଅହମଦାବାଦ: ସୁପର ସଣ୍ଡେ ପାଇଁ ପ୍ରସ୍ତୁତ ନରେନ୍ଦ୍ର ମୋଦି ଷ୍ଟାଡିୟମ । ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯିବ ଦିନିକିଆ ବିଶ୍ବକପର ଫାଇନାଲ। ଏକ ଲକ୍ଷରୁ ଅଧିକ ଦର୍ଶକଙ୍କ ସମ୍ମୁଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟାଇଟଲ୍ ଲଢ଼େଇ । ଟୁର୍ଣ୍ଣାମେଣ୍ଟରେ ଏଯାବତ୍ ଅପରାଜେୟ ଥିବା ଭାରତ ୨୦୦୩ ପରାଜୟର ପ୍ରତିଶୋଧ ସହ ତୃତୀୟ ବିଶ୍ବକପ୍ ଟ୍ରଫି ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଅଷ୍ଟ୍ରେଲିଆର ନଜର ରହିବ ରେକର୍ଡ ଷଷ୍ଠ ଟ୍ରଫି ଉପରେ ।

ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତର ଏହା ଚତୁର୍ଥ ଫାଇନାଲ୍। ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ଵିନ ପୂର୍ବରୁ ବିଶ୍ବକପ୍ (୨୦୧୧) ଜିତି ସାରିଥିବାବେଳେ ଦଳର ଅନ୍ୟ ସମସ୍ତ ଖେଳାଳିଙ୍କ ପାଇଁ ଏହା ଏକ ନୂତନ ଅଭିଜ୍ଞତା ହେବ। ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମା ୨୦୦୭ ଟି୨୦ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ରହିଥିଲେ ମଧ୍ୟ ଦିନିକିଆ ବିଶ୍ଵକପ୍‌ରେ ଏହା ତାଙ୍କର ପ୍ରଥମ ଫାଇନାଲ। ତେଣୁ ରବିବାର ଏକ ରୋଚକ ଲଢ଼େଇ ଦେଖିବାକୁ ମିଳିବ। ବାହ୍ୟ ଖବର ଦ୍ବାରା ଭାରତୀୟ ଦଳ ପ୍ରଭାବିତ ହେଉ ନ ଥିବା ରୋହିତ କହୁଥିଲେ ମଧ୍ୟ ରବିବାରର ଫାଇନାଲ ମୁକାବିଲାକୁ ନେଇ ଦଳ ଉପରେ ସାମାନ୍ୟ ଚାପ ରହିବ। ଭାରତରେ କ୍ରିକେଟରମାନଙ୍କୁ ସେଲିବ୍ରିଟି ଭାବେ ବିବେଚନା କରାଯାଉଥ‌ିବା ବେଳେ ୧୪୦ କୋଟି ଦେଶବାସୀଙ୍କ ଆଶା ଓ ଭରସାକୁ ବଜାୟ ରଖିବାକୁ ମଧ୍ୟ ପ୍ରୟାସ କରିବ ରୋହିତ ଶର୍ମାଙ୍କ ଦଳ। ୧୯୮୩ରେ କପିଳ ଦେବ ଓ ୨୦୧୧ରେ ମହେନ୍ଦ୍ର ସିଂ ଧୋନିଙ୍କ ପରେ ତୃତୀୟ ଭାରତୀୟ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ନିକଟରେ ବିଶ୍ଵକପ୍ ଟ୍ରଫି ଉଠାଇବାର ସୁଯୋଗ ରହିଛି।

ଚଳିତ ବିଶ୍ୱକପରେ ରୋହିତଙ୍କ ନେତୃତ୍ଵରେ ଭାରତ ୧୦ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବେଳେ ବିଶ୍ବକପରେ ସର୍ବାଧିକ କ୍ରମାଗତ ବିଜୟ ରେକର୍ଡ ଅଷ୍ଟ୍ରେଲିଆ(୨୦୦୩ ଓ ୨୦୦୭) ନାମରେ ରହିଛି। ରବିବାର ରୋହିତଙ୍କ ଦଳ ଏହି ରେକର୍ଡର ସମକକ୍ଷ ହେବାକୁ ଚାହିଁବ । ଏହାଛଡ଼ା ଦିନିକିଆ କ୍ରିକେଟର ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ ଭାରତୀୟ ଦଳ ଟ୍ରଫି ଜିତିଲେ ଏହାକୁ ପୁଣି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇବାରେ ସହାୟକ ହୋଇପାରେ ।

ଭାରତୀୟ ଦଳର ଅଧୂନାୟକ ରୋହିତ ଶର୍ମା ଚଳିତ ବିଶ୍ୱକପ୍‌ରେ ସମ୍ମୁଖ ଭାଗରୁ ଆକ୍ରମଣ କରିଛନ୍ତି। ୧୨୪ର ଷ୍ଟ୍ରାଇକରେଟ୍ ସହିତ ସେ ୫୫୦ ରନ୍ ସ୍କୋର କରିଥିବା ବେଳେ କୋହଲି ସ୍କୋର କରିଛନ୍ତି ୭୧୧ ରନ୍‌। ଉଭୟ ଖେଳାଳି ଭାରତ ପାଇଁ ରନ୍ ମେଶିନ ରହିଛନ୍ତି। ଡେଙ୍ଗୁରୁ ଆରୋଗ୍ୟ ଲାଭ କରିଥିବା ଶୁଭମାନ ଗିଲ୍ ଚମତ୍କାର ଫର୍ମରେ ରହିଛନ୍ତି। ଶର୍ଟବଲ ଦୁର୍ବଳତାକୁ ଦୂରେଇ ଫାଇନାଲ ମ୍ୟାଚ୍ ପୂର୍ବରୁ ଲଗାତର ଦୁଇଟି ଶତକ ହାସଲ କରିଛନ୍ତି ଶ୍ରେୟସ ଆୟର। ତେବେ ଭାରତୀୟ ମଧ୍ୟକ୍ରମକୁ ସବୁଠାରୁ ଅଧିକ ଦୃଢ କରୁଛି ଲୋକେଶ ରାହୁଲଙ୍କ ଉପସ୍ଥିତି। ତେବେ ଦଳର ଟ୍ରମ୍ପକାର୍ଡ ରହିଛନ୍ତି ମହମ୍ମଦ ଶାମି। ଅମରୋହା ଏକ୍ସପ୍ରେସ୍ ନାମରେ ପରିଚିତ ଏହି ସିଷ୍ଟର ଜଣକ ୬ ମ୍ୟାଚରୁ ୨୩ ଉଇକେଟ ନେଇଛନ୍ତି। ଏହାଛଡ଼ା ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ବଲ୍ ଜରିଆରେ ଉପଯୋଗୀ ଅବଦାନ ଦେବାରେ ସମର୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳ ଭାରତ ପରି ବିପଜ୍ଜନକ ମନେହେଉନାହିଁ। ତେବେ ବଡ଼ ଟୁର୍ଣ୍ଣାମେଣ୍ଟରେ ଏହାର ପୂର୍ବ ପ୍ରଦର୍ଶନ ଓ ଦଳର ଲଢୁଆ ମନୋଭାବ ହିଁ ଏହାକୁ ଅଧ‌ିକ ବିପଜ୍ଜନକ ଭାବେପ୍ର ତିପାଦିତ କରୁଛି। ବଡ ମ୍ୟାଚ୍‌ରେ ପ୍ରଦର୍ଶନ କରିବାର କଳାରେ ଅଷ୍ଟ୍ରେଲିଆର ଖେଳାଳିମାନେ ସିଦ୍ଧହସ୍ତ। ଏହା ସହିତ ପ୍ରଥମ ଲିଗ୍ ମ୍ୟାଚରେ ବିରାଟ କୋହଲିଙ୍କ କ୍ୟାଚ୍ ଡ୍ରପ୍ କରିବାରୁ ମ୍ୟାଚ୍ ହାରିଥିବା ନେଇ ସ୍ଵୀକାର କରିଛନ୍ତି ଅଧ୍ଵନାୟକ ପ୍ୟାଟ କମିନ୍ସ। ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ସମାନ ଭୁଲ ଦୋହରାଇବ ନାହିଁ ବୋଲି ସେ କହିଛନ୍ତି।

୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ସମ୍ମୁଖରେ ଖେଳିବା ଏକ ଗର୍ବର ବିଷୟ। ଭାରତକୁ ଅଧିକ ସମର୍ଥନ ମିଳିବ । ତେବେ ଏହା ପୂର୍ବରୁ ଭାରତରେ ଆମେ ଏକ ଦିନିକିଆ ସିରିଜ ଜିତିଥିଲୁ ବୋଲି କମିନ୍ସ କହିଛନ୍ତି। ଦଳରେ ଏକାଧିକ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦଳ ନିକଟରେ ଆଡାମ ଜାମ୍ପାଙ୍କୁ ବାଦ୍ ଦେଲେ ଭଲ ସ୍ପିନର ନାହାନ୍ତି।‌ ଫାଇନାଲ ପାଇଁ ଯଦି ସ୍ପିନ୍ ଟ୍ରାକ୍ ରୁହେ ତେବେ ଅଷ୍ଟ୍ରେଲିଆ ପଛରେ ପଡ଼ିବାର ସମ୍ଭାବନା ଅଧିକ।

ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦୁଲ ଠାକୁର।

ଅଷ୍ଟ୍ରେଲିଆ: ପ୍ୟାଟ୍ କମିନ୍ସ (ଅଧିନାୟକ), ଡେଭିଡ ୱାର୍ଣ୍ଣର, ଟ୍ରାଭିସ୍ ହେଡ, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ, ମାର୍ନସ୍ ଲାବୁସେନ୍, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ୍, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋସ ହାଜଲେଉଡ୍, କ୍ୟାମେରନ ଗ୍ରୀନ୍, ଜୋଶ ଇଂଲିସ, ଆଲେକ୍ସ କେରି ଓ ସନ ଆବଟ୍।

Exit mobile version