Site icon ଆଜିକାଲି

ବୈଶ୍ବିକ କ୍ଷୁଧା ସୂଚୀ-୨୦୨୨: ୧୦୭ ନମ୍ବରରେ ଭାରତ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ବୈଶ୍ବିକ କ୍ଷୁଧା ସୂଚୀ ୨୦୨୨। ୧୨୧ ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସୂଚୀରେ ୬ଟି ସ୍ଥାନ ତଳକୁ ଖସି ଭାରତ ୧୦୭ତମ ସ୍ଥାନରେ ସ୍ଥାନିତ ହୋଇଛି। ଯୁଦ୍ଧ-ବିକ୍ଷତ ଆଫଗାନିସ୍ତାନକୁ ବାଦ ଦେଇ ଭାରତ ବାକି ସମସ୍ତ ଦକ୍ଷିଣ ଏସୀୟ ଦେଶମାନଙ୍କ ପଛରେ ରହିଥିବା ଉକ୍ତ ସୂଚକାଙ୍କରୁ ଜଣାପଡ଼ିଛି। ଏହି ସୂଚକାଙ୍କରେ ଆଖପାଖ ଦେଶ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଏବଂ ମିଆଁମାର ଯଥାକ୍ରମେ ୯୯, ୬୪, ୮୪, ୮୧ ଏବଂ ୭୧ତମ ସ୍ଥାନରେ ଥାଇ ଭାରତ ଉପରେ ରହିଛନ୍ତି। ସେହିପରି ୫ରୁ କମ୍‌ ସ୍କୋର୍‌ କରିଥିବା ପ୍ରାୟ ୧୭ଟି ଦେଶଙ୍କୁ ମିଳିତ ଭାବେ ୧ରୁ ୧୭ ରାଙ୍କ୍‌ ମଧ୍ୟରେ ସ୍ଥାନିତ କରାଯାଇଛି।

୨୯.୧ ସ୍କୋର୍‌ ହାସଲ କରିଥିବା ‘ବୈଶ୍ବିକ କ୍ଷୁଧା ସୂଚୀ’ର ପ୍ରକାଶକ ‘କନ୍‌ସର୍ନ ୱାର୍ଲଡ୍‌ୱାଇଡ୍‌’ ଏବଂ ‘ୱେଲ୍‌ଟ୍‌ହଙ୍ଗର୍‌ହିଲ୍‌ଫି’ କ୍ଷୁଧାକୁ ‘ସାଙ୍ଘାତିକ’ ବୋଲି ଦର୍ଶାଇଛନ୍ତି। ଅପପୁଷ୍ଟି, ଉତ୍କଟ ଶିଶୁ ଅପପୁଷ୍ଟି, ଦୀର୍ଘକାଳୀନ ଶିଶୁ ଅପପୁଷ୍ଟି ଏବଂ ଶିଶୁ ମୃତ୍ୟୁହାର ଭଳି ୪ଟି ପ୍ରସଙ୍ଗକୁ ଭିତ୍ତି କରି ‘ବୈଶ୍ବିକ କ୍ଷୁଧା ସୂଚୀ’ ପ୍ରସ୍ତୁତ କରାଯାଇଥାଏ। ୨୦୧୪ରୁ ୨୦୨୨ ମଧ୍ୟରେ ଭାରତରେ ଉତ୍କଟ ଶିଶୁ ଅପପୁଷ୍ଟି ୩୮.୭%ରୁ ୩୫.୫% ଏବଂ ଶିଶୁ ମୃତ୍ୟୁହାର ୪.୬%ରୁ ୩.୩%କୁ ହ୍ରାସ ପାଇଥିବା କଥା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ‘ୟୁନିସେଫ୍‌’, ‘ବିଶ୍ବ ବ୍ୟାଙ୍କ୍‌’, ‘ଖାଦ୍ୟ ଓ କୃଷି ସଙ୍ଗଠନ’ ସମେତ ଜାତିସଂଘ ଓ ଅନ୍ୟାନ୍ୟ ବହୁଦେଶୀୟ ସଙ୍ଗଠନରୁ ସଂଗୃହୀତ ତଥ୍ୟାବଳି ଆଧାରରେ ଏହି ସୂଚକାଙ୍କ ପ୍ରସ୍ତୁତି କରାଯାଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

‘ବୈଶ୍ବିକ କ୍ଷୁଧା ସୂଚୀ’ରେ ଭାରତ ତଳକୁ ଥିବା ଦେଶଗୁଡ଼ିକ ହେଲେ, ଜାମ୍ବିଆ, ଆଫଗାନିସ୍ତାନ, ତିମୋର-ଲେସ୍ତେ, ଗିନି-ବିସାଉ, ସିରା ଲିଓନ୍‌, ଲିସେଥୋ, ଲିବେରିଆ, ନିଗର୍‌, ହାଇତି, ଚାଦ୍‌, କଙ୍ଗୋର ଡେମ୍‌ ସାଧାରଣତନ୍ତ୍ର, ମାଡାଗସ୍କର୍‌, କେନ୍ଦ୍ରୀୟ ଆଫ୍ରିକୀୟ ସାଧାରଣତନ୍ତ୍ର ଓ ୟେମେନ୍‌। ଏହାଛଡ଼ା, ତଥ୍ୟାବଳି ନ ମିଳିବାରୁ ଗିନି, ମୋଜାମ୍ବିକ୍‌, ଉଗାଣ୍ଡା, ଜିମ୍ବାୱେ, ବୁରୁଣ୍ଡି, ସୋମାଲିଆ, ଦକ୍ଷିଣ ସୁଦାନ ଏବଂ ସିରିୟା ସମେତ ୧୫ଟି ଦେଶର ରାଙ୍କ୍‌ ନିର୍ଦ୍ଧାରଣ କରାଯାଇ ପାରି ନାହିଁ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Exit mobile version