Site icon ଆଜିକାଲି

ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲର ବିଜେତା ଦଳ ହେବ ମାଲାମାଲ୍, ପୁରସ୍କାର ରାଶି ଘୋଷଣା କଲା ଆଇସିସି

ଦୁବାଇ: ଜୁନ୍ ୭ରୁ ଆରମ୍ଭ ହେଉଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (ଡବ୍ଲୁଟିସି) ଫାଇନାଲ୍ ପାଇଁ ଆଇସିସି ପୁରସ୍କାର ରାଶି ଘୋଷଣା କରିଛି । ଆଇସିସି ପ୍ରଦତ୍ତ ସୂଚନା ଅନୁଯାୟୀ, ଡବ୍ଲୁଟିସି ଫାଇନାଲର ବିଜେତା ଦଳ ୧.୬ ମିଲିୟନ ଡଲାର (ପ୍ରାୟ ୧୩.୨୩ କୋଟି ଟଙ୍କା) ପୁରସ୍କାର ପାଇବ। ଏହାଛଡ଼ା ଫାଇନାଲରେ ହାରିଥିବା ତଥା ରନର୍ସ ଅପ୍ ଦଳ ମଧ୍ୟ କୋଟିପତି ହେବ। ହାରିଥିବା ଦଳ ପାଇବ ୬.୬୧ କୋଟି ଟଙ୍କା ପୁରସ୍କାର।

ଡବ୍ଲୁଟିସି ପୁରସ୍କାର ରାଶିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ୨୦୨୧ ଡବ୍ଲୁଟିସି ସଂସ୍କରଣରେ ମଧ୍ୟ ସମାନ ପୁରସ୍କାର ରାଶି ଦିଆଯାଇଥିଲା । ୨୦୨୧ରେ ଡବ୍ଲୁଟିସିର ଉଦଘାଟନୀ ସଂସ୍କରଣର ଫାଇନାଲ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା ‌। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଡବ୍ଲୁଟିସି ଟାଇଟଲ୍ ଜିତିଥିଲା | ଉଲ୍ଲେଖଯୋଗ୍ୟ ଯେ, ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୧-୨୩ ଚକ୍ର ପାଇଁ ମୋଟ ୩.୮ ମିଲିୟନ୍ ଡଲାର୍ (ପ୍ରାୟ ୩୧.୪୦ କୋଟି ଟଙ୍କା) ପୁରସ୍କାର ରଖିଛି, ଯାହା ୯ଟି ଟିମ୍ ମଧ୍ୟରେ ବଣ୍ଟାଯିବ ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କିଏ ପ୍ରଥମ ପୁରସ୍କାର ଓ କେଉଁ ଦଳ ଦ୍ୱିତୀୟ ପୁରସ୍କାର ପାଇବ ତାହା ଫାଇନାଲ ପରେ ହିଁ ସ୍ଥିର ହେବ । ତେବେ ଅବଶିଷ୍ଟ ୭ଟି ଦଳ ପାଇଁ ପୁରସ୍କାର ରାଶି ସ୍ଥିର ହୋଇଛି। ଡବ୍ଲୁଟିସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନ ଅଧିକାର କରିଥିବା ଦକ୍ଷିଣ ଆଫ୍ରିକା ପ୍ରାୟ ୩.୭୧ କୋଟି ଟଙ୍କା ପାଇବ। ଚତୁର୍ଥ ସ୍ଥାନରେ ଥିବା ଇଂଲଣ୍ଡକୁ ୨.୮୯ କୋଟି ଟଙ୍କା ମିଳିବ। ପଞ୍ଚମ ସ୍ଥାନ ହାସଲ କରିଥିବା ଶ୍ରୀଲଙ୍କା ୧.୬୫ କୋଟି ଟଙ୍କା ପାଇବ। ଏହି ର଼୍ୟାଙ୍କିଙ୍ଗରେ ସପ୍ତମ ସ୍ଥାନରେ ଥିବା ପାକିସ୍ତାନକୁ ପ୍ରାୟ ୮୨ ଲକ୍ଷ ଟଙ୍କା ମିଳିବ।

ଭାରତରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ହେବ | ଏହାଛଡ଼ା ଡିସ୍ନି + ହଟଷ୍ଟାରରେ ମଧ୍ୟ ମ୍ୟାଚ୍ ଲାଇଭ୍ କରାଯିବ। ଭାରତ ବ୍ୟତୀତ ଏହି ମ୍ୟାଚ୍ ପାକିସ୍ତାନର ୟୁପ ଟିଭିରେ ପ୍ରସାରଣ ହେବ। ଅଷ୍ଟ୍ରେଲିଆରେ ଏହି ମ୍ୟାଚ୍ ଫକ୍ସ ସ୍ପୋର୍ଟସ୍, କାୟୋ ଏବଂ ଆଇସିସି.ଟିଭିରେ ଦେଖିପାରିବେ କ୍ରିକେଟ୍ ପ୍ରେମୀ। | ବାଂଲାଦେଶରେ ଏହି ମ୍ୟାଚର ଟେଲିକଷ୍ଟ ଗାଜି ଟିଭି ଏବଂ ଆଫଗାନିସ୍ତାନର ଆରଟିଆ ସ୍ପୋର୍ଟରେ ହେବ।

ଡବ୍ଲୁଟିସି ଫାଇନାଲ ପାଇଁ ଭାରତ ଓ ଅଷ୍ଟ୍ରେଲିଆ ଦଳ –

ଭାରତ: ରୋହିତ ଶର୍ମା, ଶୁଭମାନ ଗିଲ, ବିରାଟ କୋହଲି, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଆର୍ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କେ.ଏସ୍ ଭରତ, ଇଶାନ କିଶନ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ ଏବଂ ଜୟଦେବ ଉନାଦକଟ।

ଅଷ୍ଟ୍ରେଲିଆ: ଡେଭିଡ ୱାର୍ଣ୍ଣର, ଉସମାନ ଖାୱାଜା, ଟ୍ରାଭିସ ହେଡ, ଷ୍ଟିଭ ସ୍ମିଥ, ମାର୍କସ ହାରିସ, ମ୍ୟାଟ ରେନସା, ମାର୍ନସ ଲାବୁସେନ୍, ମିଚେଲ ମାର୍ଶ, କ୍ୟାମେରନ୍ ଗ୍ରୀନ୍, ଆଲେକ୍ସ କେରି, ଜୋସ୍ ଇଂଲିସ୍, ଜିମି ପେରେସନ, ପ୍ୟାଟ୍ କମିନ୍ସ, ସ୍କଟ୍ ବୋଲାଣ୍ଡ, ଜୋସ୍ ହାଜଲେଉଡ୍, ନାଥନ୍ ଲିଅନ୍, ଟଡ୍ ମର୍ଫି ଏବଂ ମିଚେଲ୍ ଷ୍ଟାର୍କ |

Exit mobile version