Site icon ଆଜିକାଲି

କୁସ୍ତିଯୋଦ୍ଧାଙ୍କ ଘୋଷଣା: ବ୍ରିଜ ଭୂଷଣଙ୍କ ବିରୋଧରେ ଲଢ଼େଇ ଆଉ ରାସ୍ତାରେ ନୁହେଁ କୋର୍ଟରେ ହେବ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନେ ଏବେ ଆଉ ରାସ୍ତାରେ ନୁହେଁ ବରଂ କୋର୍ଟରେ ଲଢ଼େଇ କରିବେ । ନ୍ୟାୟ ପାଇବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ କିନ୍ତୁ ଏବେ ରାସ୍ତାରେ ଲଢ଼େଇ ହେବ ନାହିଁ ବୋଲି ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ଟୁଇଟ୍ କରି କହିଛନ୍ତି ।

ସାକ୍ଷୀ ମଲିକ ଏବଂ ବିନେଶ ଫୋଗାଟ ଟ୍ୱିଟରେ ଲେଖିଛନ୍ତି, ‘ସରକାରଙ୍କ ସହ ଜୁନ ୭ରେ ଆଲୋଚନା ହୋଇଥିଲା। କୁସ୍ତିଯୋଦ୍ଧାମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସରକାର ମହିଳା କୁସ୍ତି ଖେଳାଳିଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା ଯୌନ ଶୋଷଣ ଅଭିଯୋଗରେ ମାମଲା ରୁଜୁ କରିଥିଲେ। ଦିଲ୍ଲୀ ପୋଲିସ ତଦନ୍ତ ଶେଷ କରି ଜୁନ୍ ୧୫ରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ମାମଲାରେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ରାସ୍ତା ବଦଳରେ କୁସ୍ତିଯୋଦ୍ଧାଙ୍କ ଆଇନଗତ ଯୁଦ୍ଧ ଜାରି ରହିବ। ଏହାଛଡ଼ା ସାକ୍ଷୀ ମଲିକ ଏବଂ ବିନେଶ ଫୋଗାଟ ସୋସିଆଲ ମିଡିଆରୁ କିଛି ଦିନ ବିରତି ନେବାକୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଦେଶର ଖ୍ୟାତନାମା କୁସ୍ତିଯୋଦ୍ଧାମାନେ ଗତ ପାଞ୍ଚ ମାସ ଧରି ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ସେମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରି ଦିଲ୍ଲୀର ଜନ୍ତର ମନ୍ତରର ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀ କୁସ୍ତି ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବି କରୁଥିବାବେଳେ ସେ ମଧ୍ୟ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଥିଲା। ତେବେ ପରେ ନାବାଳିକା କୁସ୍ତିଯୋଦ୍ଧା ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହାର କରିଥିଲେ।

Exit mobile version