Site icon ଆଜିକାଲି

ପାଞ୍ଚ ବର୍ଷରେ ୪୩୦୦ କୋଟି ଆୟକର ଜମା କରିଛି ବିସିସିଆଇ, ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇ ଗତ ୫ ବର୍ଷ ମଧ୍ୟରେ ଆୟକର ବାବଦରେ ପ୍ରାୟ ୪୩୦୦ କୋଟି ଟଙ୍କା ପୈଠ କରିଛି । ବିସିସିଆଇକୁ ଟିକସ ଛାଡ଼ ଦିଆଯାଉଛି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଛି। ତେବେ ବିସିସିଆଇ ନିୟମିତ ଆୟକର ଜମା କରିଛି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ ସୂଚନା ଦେଇଛନ୍ତି।

ଚୌଧୁରୀ କହିଛନ୍ତି, ବିସିସିଆଇ ଗତ ୫ ବର୍ଷ ମଧ୍ୟରେ ମୋଟ ୪୨୯୮,୧୨ କୋଟି ଟଙ୍କା ପୈଠ କରିଛି । ଭାରତୀୟ ବୋର୍ଡ ୨୦୨୧-୨୨ ଆର୍ଥିକ ବର୍ଷରେ ୧,୧୫୯ କୋଟି ଟଙ୍କା ଆୟକର ଦେଇଥିଲା, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୩୭ ପ୍ରତିଶତ ଅଧିକ ଥିଲା ।

କେନ୍ଦ୍ର ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ବିସିସିଆଇ ଦ୍ବାରା ପ୍ରଦାନ କରାଯାଇଥିବା ଆୟକର ଏବଂ ଗତ ପାଞ୍ଚ ବର୍ଷ ମଧ୍ୟରେ ଆୟ ଏବଂ ବ୍ୟୟ ଅଟକଳର ବିବରଣୀ ଉପସ୍ଥାପନ କରିଛନ୍ତି। ତଥ୍ୟ ଅନୁଯାୟୀ, ଆର୍ଥିକ ବର୍ଷରେ ୨୦୨୦-୨୧ରେ ବିସିସିଆଇ ଆୟକର ବାବଦରେ ୮୪୪.୯୨ କୋଟି ଟଙ୍କା ଦେଇଥିଲା ଯାହା ୨୦୧୯-୨୦ରେ ପ୍ରଦାନ କରାଯାଇଥିବା ୮୮୨.୨୯ କୋଟିରୁ କମ୍ ।

ବିସିସିଆଇ ୨୦୧୮-୧୯ ଆର୍ଥିକ ବର୍ଷରେ ୮୧୫.୦୮ କୋଟି ଟଙ୍କା ଆୟକର ଦେଇଥିବାବେଳେ ୨୦୧୭-୧୮ରେ ୫୯୬.୬୩ କୋଟି ଟଙ୍କା ପୈଠ କରିଥିଲା । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ବୋର୍ଡର ଆୟ ଥିଲା ୭,୬୦୬ କୋଟି ଟଙ୍କା । ସେହିବର୍ଷ ବୋର୍ଡର ଖର୍ଚ୍ଚ ଥିଲା ୩,୦୬୪ କୋଟି ଟଙ୍କା । ୨୦୨୦-୨୧ ଆର୍ଥିକ ବର୍ଷରେ ଏହାର ଆୟ ୪,୭୩୫ କୋଟି ଏବଂ ବ୍ୟୟ ୩,୦୮୦ କୋଟି ଟଙ୍କା ଥିଲା।

Exit mobile version