Site icon ଆଜିକାଲି

ଏସୀୟ କ୍ରୀଡ଼ାରେ ଭାରତର ଐତିହାସିକ ପ୍ରଦର୍ଶନ, ପ୍ରଥମ ଥର ଜିତିଲା ୧୦୦ ପଦକ

ହାଙ୍ଗଝୋ : ଏସୀୟ କ୍ରୀଡ଼ା ୨୦୨୩ରେ ଭାରତର ଐତିହାସିକ ପ୍ରଦର୍ଶନ | ଭାରତ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ୧୦୦ ପଦକ ଜିତିଛି | ଚୀନର ହାଙ୍ଗଝୋରେ ଚାଲିଥିବା ଉନବିଂଶ ଏସୀୟ କ୍ରୀଡ଼ାର ଚତୁର୍ଦ୍ଦଶ ଦିବସ (ଶନିବାର)ରେ ଭାରତୀୟ ମହିଳା କବାଡି ଦଳ ସ୍ୱର୍ଣ୍ଣ ଜିତିବା ପରେ ଭାରତର ପଦକ ସଂଖ୍ୟା ୧୦୦ ଛୁଇଁଛି । ଭାରତ ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ୨୫ଟି ସ୍ୱର୍ଣ୍ଣ, ୩୫ ରୌପ୍ୟ ଓ ୪୦ ବ୍ରୋଞ୍ଜ ପଦକ ଜିତିଛି | ଚୀନ୍ ଜାପାନ ଓ ଦକ୍ଷିଣ କୋରିଆ ପରେ ଭାରତ ଚତୁର୍ଥ ଦେଶ ଭାବେ ଏସୀୟ କ୍ରୀଡ଼ାର ଏକ ସଂସ୍କରଣରେ ୧୦୦ ପଦକ ଜିତିଛି ।

ମହିଳା କବାଡିର ରୋମାଞ୍ଚକ ଫାଇନାଲରେ ଭାରତ ୨୬-୨୫ର ଚାଇନିଜ୍ ତାଇପେଇକୁ ହରାଇ ଏହି ମହଦେଶୀୟ କ୍ରୀଡ଼ା ଇଭେଣ୍ଟରେ ତୃତୀୟ ଥର ସ୍ବର୍ଣ୍ଣ ଜିତିଥିଲା । ଏହା ପୂର୍ବରୁ ଭାରତ ଆଜି ତୀରନ୍ଦାଜୀରେ ଡବଲ ଧମାକା କରିଥିଲା । ଭାରତ ଉଭୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲା । ପୁରୁଷ କମ୍ପାଉଣ୍ଡ ତୀରନ୍ଦାଜୀରେ ଭାରତର ଓଜାସ୍ ଦେଓତାଲେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅଭିଷେକ ବର୍ମା ରୌପ୍ୟ ପଦକ ପାଇଛନ୍ତି । ଏହା ପୂର୍ବରୁ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ଇଭେଣ୍ଟରେ ଆଦିତ୍ୟ ସ୍ବାମୀ ବ୍ରୋଞ୍ଜ ପଦକ ଜିତିଥିଲେ। ବ୍ରୋଞ୍ଜ ପଦକ ମ୍ୟାଚରେ ଆଦିତ୍ୟ ଇଣ୍ଡୋନେସିଆର ତୀରନ୍ଦାଜଙ୍କୁ ପରାସ୍ତ କରିଥିଲେ।

ଆଦିତ୍ୟଙ୍କ ପରେ ମହିଳା କମ୍ପାଉଣ୍ଡ୍ ବ୍ୟକ୍ତିଗତ ଇଭେଣ୍ଟରେ ଜ୍ୟୋତି ସୁରେଖା ଫାଇନାଲରେ କୋରିଆ ପ୍ରତିଯୋଗୀଙ୍କୁ ୧୪୮-୧୪୫ ବ୍ୟବଧାନରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ , ହାତେଇଥିଲେ | ଚଳିତ ଏସୀୟ କ୍ରୀଡ଼ାରେ ସୁରେଖାଙ୍କ ଏହା ତୃତୀୟ ସ୍ୱର୍ଣ୍ଣ ପଦକ |

ଭାରତ ଏଥର ଏସୀୟ କ୍ରୀଡ଼ା ପାଇଁ ରେକର୍ଡ ୬୫୫ ଜଣିଆ ଆଥଲେଟ୍ ପଠାଇଥିଲା । ଭାରତୀୟ ଦଳର‌ ଟ୍ୟାଗ୍ ଲାଇନ୍ ଥିଲା ‘ଇସ୍ ବାର୍, ୧୦୦ ପାର୍’ । ଅର୍ଥାତ୍ ଏଥର ୧୦୦ରୁ ଅଧିକ ପଦକ ଜିତିବା ଲକ୍ଷ୍ୟ ନେଇ ହାଙ୍ଗଝୋରେ ପହଞ୍ଚିଥିଲେ ଭାରତୀୟ ଆଥଲେଟ୍ । ଏହି ଲକ୍ଷ୍ୟ ହାସଲ କରି ଭାରତ ଏସୀୟ କ୍ରୀଡ଼ାରେ ନୂଆ ଇତିହାସ ରଚିଛି 

Exit mobile version