“ଆନୋ ଭଦ୍ରା କ୍ରତବୋ ୟନ୍ତୁ ବିଶ୍ବତଃ” ଋଗ୍ ବେଦର ଏଇ ମନ୍ତ୍ରାଂଶଟିର ଅର୍ଥ ହେଉଛି,”ବିଶ୍ବ ବ୍ରହ୍ମାଣ୍ଡର ଶ୍ରେଷ୍ଠ ବିଚାରଧାରା ଚତୁର୍ଦିଗରୁ ଆମ ଚେତନାକୁ ଉଦ୍ଦୀପିତ କରୁ। ଏପରି ଏକ ମହାନ୍ ଲକ୍ଷ୍ଯକୁ ପାଥେୟ କରି ୧୯୫୭ ମସିହାରେ ଆଦିବାସୀ ଅଧ୍ଯୁଷିତ କେନ୍ଦୁଝର ଜିଲ୍ଲାରେ ଉଚ୍ଚଶିକ୍ଷାର ପଡିଥିଲା ମୂଳଦୁଆ । ଚେତନା ପ୍ରଦୀପନର ଇଏ ଥିଲା ନୂଆ ଅଧ୍ଯାୟ । ତତ୍କାଳୀନ ଜିଲ୍ଲାପାଳ ଶ୍ରୀଯୁକ୍ତ ଆର୍ ଭେଙ୍କଟରମଣଙ୍କ ନେତୃତ୍ବ, ଜିଲ୍ଲା ପ୍ରଶାସନ ଓ ଜନ ସାଧାରଣଙ୍କ ଅକୁଣ୍ଠ ସହଯୋଗ ଥିଲା ଅଦ୍ଭୁତପୂର୍ବ। କେନ୍ଦୁଝର ର ବିଶିଷ୍ଠ ଶିଳ୍ପପତି ମହମ୍ମଦ ସିରାଜଉଦ୍ଦୀନଙ୍କ ବଦାନ୍ଯତା ଯୋଗୁ ଜନ୍ମ ନେଇଥିଲା କେନ୍ଦୁଝର ବିଜ୍ଞାନ ମହାବିଦ୍ୟାଳୟ। ସେ ସମୟର ଏକମାତ୍ର ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟର ଅନୁବନ୍ଧନ ସହ ଏ ଶିକ୍ଷାନୁଷ୍ଠାନ ଆରମ୍ଭ କରିଥିଲା ଆଲୋକିତ ଯାତ୍ରା । ୧୯୬୨ ମସିହାରେ ଏହା ସରକାରଙ୍କ ହାତକୁ ଯିବା ପରେ ୧୯୬୭ ବେଳକୁ କଳା ଶ୍ରେଣୀରେ ଶିକ୍ଷା ଦାନ ଆରମ୍ଭ ହୋଇଥିଲା । ୧୯୮୩-୮୪ ଶିକ୍ଷା ବର୍ଷ ଥିଲା ଏ ଅନୁଷ୍ଠାନର ଇତିହାସରେ ସ୍ମରଣୀୟ । ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ମୁକ୍ତିଯୋଦ୍ଧା ବିପ୍ଳବୀ ଧରଣୀଧରଙ୍କ ନାମରେ ନାମିତ ହେଲା। କ୍ରମଶଃ ଓଡିଶାରେ ନୂତନ ବିଶ୍ବବିଦ୍ୟାଳୟ ସୃଷ୍ଟି ହେବା ଫଳରେ ୧୯୯୯ ରେ ଧରଣୀଧର ମହାବିଦ୍ୟାଳୟ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଅଧୀନକୁ ଆସିଥିଲା । ୨୦୦୪ ମସିହା ମହାବିଦ୍ୟାଳୟ ଇତିହାସରେ ଏକ ସ୍ମରଣୀୟ ବର୍ଷ । ଏହି ବର୍ଷ ସ୍ବୟଂଶାସିତ ମାନ୍ୟତା ଲାଭକରି ସଫଳତାର ନୂଆ ଅଧ୍ଯାୟ ସୃଷ୍ଟି କରିବା ସହ ଶୃଙ୍ଖଳିତ ଓ ଚାପମୁକ୍ତ ଶିକ୍ଷା ଦାନରେ ସ୍ବତନ୍ତ୍ର ପରିଚୟ ତିଆରି କରି ପାରିଛି । ସମୟର ଆବଶ୍ଯକତା ଏବଂ କେନ୍ଦୁଝର ଓ ବାରିପଦା ମଧ୍ଯରେ ଥିବା ଦୂରତାକୁ ଆଖି ଆଗରେ ରଖି କେନ୍ଦୁଝରରେ ଏକ ବିଶ୍ବବିଦ୍ୟାଳୟର ଆବଶ୍ଯକତା ଦାନା ବାନ୍ଧୁଥିଲା। ଜିଲ୍ଲା ବାସୀଙ୍କ କ୍ରମାଗତ ଦାବୀ ଯୋଗୁ ଏଠାରେ ସରକାର ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ଦ୍ବିତୀୟ ପରିସର ସ୍ଥାପନ କରି ସ୍ନାତକୋତ୍ତର ଶିକ୍ଷା ଆରମ୍ଭ କରିଥିଲେ । ମାତ୍ର ଏକ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟର ଦାବୀ ଦବି ନଯାଇ ଆହୁରି ପ୍ରଭାବଶାଳୀ ହେବା ଫଳରେ ଓଡିଶା ସରକାରଙ୍କ ଦ୍ବାରା ୧୧୵୦୨୵୨୩ ତାରିଖରେ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଲା। ପରେ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁସାରେ ଅଗଷ୍ଟ ୨୦୨୩ ରୁ ଏହା ବିଧିବଦ୍ଧ କାର୍ଯ୍ଯକ୍ଷମ ହେଲା । ଏଥି ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରୁ ଅଲଗା ହୋଇ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଧରଣୀଧର ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ହେଲେ । ଏବେ ଧରଣୀଧର ବିଶ୍ବବିଦ୍ୟାଳୟ ଦୁଇଟି ପରିସରକୁ ନେଇ ସମୃଦ୍ଧ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବିତୀୟ ପରିସର ଓ ସେଠାରେ ଥିବା ସମସ୍ତ ବିଷୟ ଧରଣୀଧର ବିଶ୍ବବିଦ୍ୟାଳୟ ଅଧୀନକୁ ଆସିଯାଇ ଅନୁଷ୍ଠାନର ଶ୍ରୀ ବୃଦ୍ଧିରେ ସହାୟକ ହେଲା। ବିଶ୍ବବିଦ୍ୟାଳୟର ମୂଳ ପରିସର ବା ପ୍ରଥମ ପରିସରକୁ ଉତ୍ତର ପରିସର ଓ ଦ୍ବତୀୟ ପରିସର ଦକ୍ଷିଣ ପରିସର ଭାବେ ପରିଚିତ ହୋଇଛି । ନୂଆ ବିଶ୍ବବିଦ୍ୟାଳୟ । ନୂଆ ନୂଆ ସ୍ବପ୍ନ ଓ ସଂଭାବନାକୁ ଧରି ଆରମ୍ଭ ହୋଇଛି ଯାତ୍ରା । କଳା,ବାଣିଜ୍ଯ ଓ ବିଜ୍ଞାନ ବିଭାଗରେ ପ୍ରାୟ କୋଡିଏଟି ବିଷୟକୁ ନେଇ ଆରମ୍ଭ ହୋଇଛି ଅଧ୍ୟାପନା ଓ ଅଧ୍ଯୟନ। ସ୍ବାଧୀନତାର ଗୋଟିଏ ଦଶନ୍ଧି ପରେ ପରେ ଜୀବନ ଆରମ୍ଭ କରିଥିବା ଛୋଟିଆ ଅନୁଷ୍ଠାନଟି ଆଜି ପରିଣତ ହୋଇଛି ମହାଦ୍ରୁମରେ। ପାଲଟିଛି କଳ୍ପବଟ। ଅସଂଖ୍ଯ ବିଦ୍ୟାର୍ଥୀଙ୍କ ଅଭୀଷ୍ଟକୁ କରିଚି ଅର୍ଥବାନ। ତ୍ଯାଗ,ଆଦର୍ଶ ଓ ମୂଲ୍ଯବୋଧକୁ ନେଇ ଯେଉଁ ଅଖଣ୍ଡ ଦୀପ ସେଦିନ ଏ ମାଟିରେ ଜଳିଥିଲା, ତାରି ଚମକରେ ଏ ଅନୁଷ୍ଠାନ ଆଜି ପାଲଟି ଯାଇଛି ତପସ୍ଯାର ତପୋବନ। ଅଗଣିତ ବିଦ୍ୟାର୍ଥୀ ଏଠାରୁ ଜୀବନ ଆରମ୍ଭ କରି ସମଗ୍ର ବିଶ୍ବରେ ଏ ଅନୁଷ୍ଠାନ ପାଇଁ ସୁନାମ ଆଣିଛନ୍ତି। କେବଳ ଶିକ୍ଷାନୁଷ୍ଠାନ ନୁହେଁ, ଆମପାଇଁ ଯେ କୌଣସି ତୀର୍ଥଭୂମି ଠାରୁ ଅଧିକ ମର୍ଯ୍ଯାଦା ଦାବୀକରେ ଏ ଅନୁଷ୍ଠାନ । ଆଜି ବିଶ୍ବବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ । ଜିଲ୍ଲାବାସୀଙ୍କ ପାଇଁ ଉତ୍ସାହ ଓ ଉଲ୍ଲାସର ଦିନ ।ଧରଣୀଧରଙ୍କ ପରି ମହାନ ବିପ୍ଳବୀ ଯେଉଁ ସ୍ବାଭିମାନ ଓ ଆଦର୍ଶ ପାଇଁ ଜୀବନ ଉତ୍ସର୍ଗ କରିଥିଲେ ସେଇ ଆଦର୍ଶର କଷଟିରେ ଉତ୍ତୀର୍ଣ୍ଣ ହେଉ ଧରଣୀଧର ବିଶ୍ବବିଦ୍ୟାଳୟ । ଆଗରେ ଅସଂଖ୍ଯ ଆହ୍ବାନ। ଅନେକ ସମସ୍ଯା। ତଥାପି ଏ ଆଦର୍ଶ, ଏ ସମର୍ପିତ ମନୋଭାବ ବଳବତ୍ତର ରହିଲେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଧରଣୀଧର ବିଶ୍ବବିଦ୍ୟାଳୟ ସୃଷ୍ଟି କରିବ ସ୍ବର୍ଣିମ ସ୍ବାକ୍ଷର। ଦୀର୍ଘ ସତଷଠୀ ବର୍ଷର ଅବିରତ ଯାତ୍ରା,ନିଷ୍ଠାପର ଶିକ୍ଷାଦାନ ଓ ଜ୍ଞାନ ବିତରଣ କ୍ଷେତ୍ରରେ ନିଜ ପାଇଁ ନିଆରା ପରିଚୟ ତିଆରି କରିଥିବା ଏ ତପୋବନ ଆଗକୁ ଯାଇ ଯୁଗୋପଯୋଗୀ ଜ୍ଞାନ ଓ ଗବେଷଣାର ନୂଆ ପରଂପରା ସୃଷ୍ଟି କରି ଆଗାମୀ ପୀଢିକୁ ଜୀବନ ମନ୍ତ୍ରରେ ପ୍ରଚୋଦିତ କରିବ । ଆମହାତ ଧରି ବାଟ କଢେଇ ନେଉଥିବ ଏକ ଆଲୋକିତ ପୃଥିବୀ ଆଡକୁ। ହେ ଚେତନାର ଅଖଣ୍ଡ ପ୍ରଦୀପ ! ତପସ୍ଯାର ତପୋବନ ଧରଣୀଧର ବିଶ୍ବବିଦ୍ୟାଳୟ , ପ୍ରଥମ ପ୍ରତିଷ୍ଠା ଦିବସରେ ତୁମକୁ ଅୟୁତ ପ୍ରଣାମ।
ସୁଧା ଦାଶ
ଓଡ଼ିଆ ବିଭାଗ ମୁଖ୍ଯ,
ଧରଣୀଧର ବିଶ୍ବବିଦ୍ୟାଳୟ,
କେନ୍ଦୁଝର ।