ନୂଆଦିଲ୍ଲୀ : କୌଳିକ ବୃତ୍ତିଗତ ବ୍ୟବସାୟୀଙ୍କ ଉନ୍ନତି ପାଇଁ ଆସିବାକୁ ଥିବା ‘ବିଶ୍ୱକର୍ମ ଯୋଜନା’କୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଯୋଜନା ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକର୍ମା ଯୋଜନା ଲାଗୁ କରାଯିବ ବୋଲି କହିଥିଲେ।
ସେ ଘୋଷଣା କରିବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ ମିଳିଛି। ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିକୁ ବାଛିଥିବା ଲୋକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।
ସୁନା କାରିଗର, କମାର, ବାରିକ, ମୋଚୀ ଓ ଅନ୍ୟ କୌଳିକ ବୃତ୍ତିକୁ ପେଶା ଭାବେ ଗ୍ରହଣ କରୁଥିବା ଲୋକ ଏହି ଯୋଜନା ଅଧୀନରେ ରହିବେ। ସେମାନଙ୍କୁ ସରକାର ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବେ। ଏହି ଯୋଜନା ପାଇଁ ୧୩ ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି।