କେନ୍ଦୁଝର, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁବାର କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ, ୩୯ତମ ସବଜୁନିୟର ଜାତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତାର ତୃତୀୟ ଦିବସରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଛନ୍ତି ଯେ, ୨୪ଟି ରାଜ୍ୟର ୪୩୨ ଜଣ ଖେଳାଳି ଓ ୧୫୦ ଅଫିସିଆଲଙ୍କୁ ନେଇ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତା କେବଳ ଆମର ଯୁବ ଖେଳାଳିମାନଙ୍କର ଅବିଶ୍ୱସନୀୟ ପ୍ରତିଭା ଏବଂ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁନାହିଁ ବରଂ ଆମ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଏବଂ ଶାରୀରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରୁଛି। ୧୯୮୦ ମସିହାରେ କେନ୍ଦୁଝରଠାରେ ଚତୁର୍ଥ ଜୁନିୟର ହ୍ୟାଣ୍ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏହା ଆମ ପାଇଁ ନିଶ୍ଚିତଭାବେ ଖୁସିର ବିଷୟ ଯେ ପୁନର୍ବାର ଦୀର୍ଘ ୪୫ ବର୍ଷର ବ୍ୟବଧାନ ପରେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ଆମକୁ ସୌଭାଗ୍ୟ ପ୍ରାପ୍ତ ହୋଇଛି । ରାଜ୍ୟ ସରକାର ରାଜ୍ୟରେ କ୍ରୀଡ଼ାର ଉନ୍ନତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। କ୍ରୀଡ଼ାକୁ ଯୁବସମାଜର ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ପାଇଁ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି । କ୍ରୀଡ଼ା କ୍ଷେତ୍ରରେ ଆମର ନିରନ୍ତର ପ୍ରୋତ୍ସାହନ ପାଇଁ ଆଜି ଓଡ଼ିଶା ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ । ଓଡ଼ିଶା ଆଜି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଛି । ପ୍ରତ୍ୟେକ ସଫଳତା ସହ ଓଡ଼ିଶା ନିଜକୁ କ୍ରୀଡ଼ା ଜଗତର ଏକ ଉଦୀୟମାନ ଶକ୍ତି ଭାବେ ପ୍ରମାଣିତ କରୁଛି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ହେବାକୁ ଥିବା କ୍ରୀଡା ଭିତ୍ତିଭୂମିର ବିକାଶ ସମ୍ପର୍କରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ବିଷୟରେ ସୂଚନା ଦେଇ କହିଥିଲେଯେ, ଆମ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଭଲିବଲ, କ୍ରିକେଟ, ଫୁଟବଲ ଓ ଆଥଲେଟିକ୍ସ ସମେତ ବିଭିନ୍ନ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଏହାବ୍ୟତୀତ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଏବଂ ଅନ୍ୟାନ୍ୟ ଇଣ୍ଡୋର କ୍ରୀଡ଼ା ପାଇଁ ଗୋଟିଏ ଲେଖାଏଁ ଇଣ୍ଡୋର ହଲ ରହିବ । ଏହି ସବୁ କାର୍ଯ୍ୟ ପାଇଁ ୫ ବର୍ଷ ମଧ୍ୟରେ ୪ ହଜାର ୧୨୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨୦୨୫-୨୬ ରେ ବ୍ଳକ୍ସ୍ତରୀୟ ଷ୍ଟାଡିୟମର ବିକାଶ ପାଇଁ ୮୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ଓଡ଼ିଶା ରାଜ୍ୟ ହ୍ୟାଣ୍ଡବଲ ଆସୋସିଏସନର ସଭାପତି ବିପ୍ଳବ ଚୌଧୁରୀ ଓ ସମ୍ପାଦକ ଇଂ ମାନସ ରଞ୍ଜନ ସିଂହ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ କାଳିତୀର୍ଥ ପଡ଼ିଆ ଠାରେ ଆୟୋଜିତ ୧୧୪ କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଜ୍ଞରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗଦାନ କରିଥିଲେ । ଏହାପରେ ମଣ୍ଡଳପାଟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିଦ୍ୟାଳୟରୁ ପାସ କରିଥିବା ଅନେକ ଛାତ୍ର ଛାତ୍ରୀ ଜିଲ୍ଲା, ରାଜ୍ୟ ତଥା ଭାରତ ସରକାରଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସୈନ୍ୟ ବିଭାଗ, ଓ ପ୍ରଶାସନିକ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଅନେକ ଅବସର ନେଲେଣି। ନିକଟରେ ଦେଶ ମାତୃକାର ସେବାରେ ସହିଦ ହୋଇଥିବା ରାଜକିଶୋର ମୁଣ୍ଡା ଏ ବିଦ୍ୟାଳୟର ଜଣେ ସୁନାମଧନ୍ୟ ଛାତ୍ର ଥିଲେ । ଏ ବିଦ୍ୟାଳୟ ଆଜି ତାଙ୍କ ବଳିଦାନରେ ଗୌରବାନ୍ୱିତ । ସେଭଳି ବୀର ସନ୍ତାନଙ୍କ ପାଇଁ କେବଳ ଏ ବିଦ୍ୟାଳୟ ନୁହଁ, କେନ୍ଦୁଝର ଜିଲ୍ଲା ନୁହଁ ବରଂ ସମଗ୍ର ଓଡିଶା ଗର୍ବିତ । ରାଜ୍ୟରେ ଶିକ୍ଷାର ବିକାଶକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟ ସରକାର ବିଦ୍ୟାଳୟ ଶିକ୍ଷା ବଜେଟକୁ ୩୧ ହଜାର କୋଟି ଟଙ୍କାରୁ ଅଧିକ କରିଛନ୍ତି। ଯାହା ପୂର୍ବ ବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ ଏବଂ ସମସ୍ତ ବିଭାଗ ମଧ୍ୟରେ ସର୍ବାଧିକ ଆବଣ୍ଟନ। ଏହି ଅଧିକ ଖର୍ଚ୍ଚ ରାଜ୍ୟରେ ଶିକ୍ଷା ପାଇଁ ଉତ୍କୃଷ୍ଟ ଭିତ୍ତିଭୂମି ଗଢି ତୋଳିବାରେ ସାହାଯ୍ୟ କରିବ। ଶିକ୍ଷାର ବିକାଶ ପାଇଁ ଅନେକ ମହତକାଂକ୍ଷୀ ଯୋଜନା ଆରମ୍ଭ କରାଯାଇଛି । ଶିଶୁ ବାଟିକା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ପଞ୍ଚଶଖା ଶିକ୍ଷା ସେତୁ ଅଭିଯାନ ଆଦି ଯୋଜନା ଜରିଆରେ ସ୍କୁଲ ଶିକ୍ଷାର ସୁଦୃଢୀକରଣ ପାଇଁ ପଦକ୍ଷେପ ନିଆଯାଉଛି। ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶିଶୁ ବାଟିକା ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି, ବୋଲି ସେ କହିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ସଭାପତି ଜୟରାମ ବାଙ୍କୀରା, ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଝାଡ଼େଶ୍ୱର ମହାନ୍ତ, ଗୋଲକ ବିହାରୀ ଗିରି, ଏବଂ ପ୍ରଧାନ ଶିକ୍ଷକ ଦେବବ୍ରତ ସାମଲ ଉପସ୍ଥିତ ଥିଲେ ।
ଏହି ଅବସରରେ ଝୁମ୍ପୁରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୭ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସରସ୍ବତୀ ଶିଶୁ ମନ୍ଦିରର ପାଠପଢ଼ା ଶୈଳୀ ସମସ୍ତଙ୍କଠାରୁ ଭିନ୍ନ। ଏଠାରେ ପିଲାଙ୍କ ଶୃଙ୍ଖଳା ଉପରେ ଗୁରୁତ୍ବ ଦିଆଯାଏ। ତା ସହିତ ପିତାମାତା, ଗୁରୁ ତଥା ଗୁରୁଜନମାନଙ୍କୁ ସମ୍ମାନ, ସାନ ମାନଙ୍କୁ ଆଦର ଏବଂ ସାମାଜିକ ସୌହାର୍ଦ୍ଦ୍ୟ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଏ। ଶିଶୁ ମନ୍ଦିରରେ ପାଠ ପଢ଼ିଥିବା ଛାତ୍ରଛାତ୍ରୀ ପ୍ରାୟତଃ ସମାଜରେ ବିପଥଗାମୀ ହୁଅନ୍ତି ନାହିଁ।
ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିକଟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଆମେ ପ୍ରାକ୍-ପ୍ରାଥମିକ ଶ୍ରେଣୀ ଶିକ୍ଷା ବା ‘ଶିଶୁ ବାଟିକା’ ଆରମ୍ଭ କରିଛୁ । ୨୦୨୫-୨୬ ଶିକ୍ଷା ବର୍ଷରୁ ସବୁ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ଶିଶୁ ବାଟିକା ଖୋଲାଯିବ । ଏହି ସବୁ ଶିଶୁ ବାଟିକା ଗୁଡ଼ିକରେ ପିଲାମାନଙ୍କୁ ମନୋରଞ୍ଜନ ଧର୍ମୀ ଶିକ୍ଷା ପ୍ରଦାନ ଜରିଆରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ସୁଦୃଢ଼ କରାଯିବ ବୋଲି ସେ କହିଥିଲେ । ସେ ପୁଣି କହିଥିଲେଯେ, ଚଳିତ ବର୍ଷ ମଧ୍ୟ ଆମେ ଓଡ଼ିଆ ପରମ୍ପରା ଅନୁଯାୟୀ ରାଜ୍ୟବ୍ୟାପୀ ସବୁ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ପାଇଁ ‘ଖଡି ଛୁଆଁ’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ମୁଁ ମଧ୍ୟ ଭୁବନେଶ୍ୱରର ଏକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ନୂତନ ଜାତୀୟ ଶିକ୍ଷାନୀତି ଆଧାରରେ ଓଡ଼ିଶାରେ ମଧ୍ୟ ନିପୁଣ ଓଡ଼ିଶା ମିଶନ ଆରମ୍ଭ କରାଯାଇଛି। ଏଥିରେ ଛାତ୍ରଛାତ୍ରୀ ମାନଙ୍କ ମୌଳିକ ସ୍ବାକ୍ଷରତା ଓ ସଂଖ୍ୟା ଜ୍ଞାନ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇଛି। ମାତୃଭାଷାଭିତ୍ତିକ ଶିକ୍ଷଣ ଜରିଆରେ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରାଯାଉଛି। ନିପୂଣ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ, ଆମର ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବରେ ମୌଳିକ ଜ୍ଞାନ ହାସଲ କରି ଉଚ୍ଚଶିକ୍ଷାରେ ସଫଳ ହେବେ ।