ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତର ଅଗ୍ରଗତି । ୨୦୨୩ ଜାନୁଆରୀ ରୁ ସେପ୍ଟେମ୍ବର ମଧ୍ୟରେ ଭାରତ ବର୍ଷକୁ ବର୍ଷ ହିସାବରେ ଆମେରିକାକୁ ଦୁଇଗୁଣାରୁ ଅଧିକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନୀ କରିଛି। ଯାହା ୬.୬ ବିଲିଅନ ଡଲାର ହେବ ବୋଲି ଶିଳ୍ପ ସଂଗଠନ ଇଣ୍ଡିଆ ସେଲୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ (ଆଇସିଇଏ)ର ଅଧ୍ୟକ୍ଷ ପଙ୍କଜ ମହିନ୍ଦ୍ରୋ ପିଟିଆଇକୁ ସୂଚନା ଦେଇଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଆମେରିକା ଚୀନ ଠାରୁ ଆମଦାନୀ କମାଇଛି। ଏନେଇ ମହିନ୍ଦ୍ରୋ କହିଛନ୍ତି “ସଦ୍ୟତମ ତଥ୍ୟ ଅନୁସାରେ ୨୦୨୩ ଜାନୁଆରୀରୁ-ସେପ୍ଟେମ୍ବର ମଧ୍ୟରେ ଆମେରିକାକୁ ଭାରତୀୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନୀ ବୃଦ୍ଧି ପାଇଛି। ପାଖାପାଖି ୨୫୩ ପ୍ରତିଶତ ବୃଦ୍ଧି ହୋଇଛି। ଯାହାର ଆକଳନ ମୂଲ୍ୟ ୬.୬ ବିଲିଅନ ଡଲାର ହେବ। ଗତବର୍ଷ ସମାନ ଅବଧିରେ ଏହା ୨.୬ ବିଲିଅନ ଥିଲା।”
ଆଇସିଇଏ ଜାରି କରିଥିବା ତଥ୍ୟ ଅନୁସାରେ, ଭାରତ ୨୦୧୮ ତୁଳନାରେ ୨୦୨୩ରେ ଆମେରିକାକୁ ୩୦୦ ପ୍ରତିଶତକୁ ଅଧିକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନୀ ହୋଇଛି। ୨୦୧୮ରେ ଏହାର ଆକଳନ ମୂଲ୍ୟ ୧.୩ ବିଲିଅନ ଡଲାର ଥିଲା। ୨୦୨୨ରେ ଏହା ୪.୫ ବିଲିଅନ ଡଲାର ହୋଇଥିଲା। ଏବେ ୨୦୨୩ରେ ୬.୬ ବିଲିଅନ ଡଲାର ହୋଇଛି।
ଆମେରିକା ସହିତ ଭାରତରେ ଦ୍ୱିପାଖିକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବସାୟ ୮୪ ପ୍ରତିଶତ ବଢ଼ିଛି। ବର୍ତ୍ତମାନର ରିପୋର୍ଟ ଅନୁସାରେ, ୨୦୨୩ରେ ୯ ବିଲିଅନ ଡଲାର ବ୍ୟବସାୟ ହୋଇଥିବା ବେଳେ ପୂର୍ବ ବର୍ଷ ସମାନ ଅବିଧିରେ ମାତ୍ର ୪.୯ ବିଲିଅନ ଡଲାର କାରବାର ହୋଇଥିଲା। ଆମେରିକା ଓ ଭାରତ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ବ୍ୟବସାୟ ବୃଦ୍ଧି କରିବାକୁ ଅଗଷ୍ଟ ୨୦୨୩ରେ ଆଇସିଇଏ ଇଣ୍ଡୋ ୟୁଏସ୍ ଟାସ୍କ ଫୋର୍ସ ଗଠନ କରିଥିଲା। ଦଶନ୍ଧୀ ଭିତରେ ଦୁଇ ଦେଶ ମଧ୍ୟରେ କାରବାର ୧୦୦ ବିଲିଅନ ଡଲାରକୁ ପହଞ୍ଚାଇବା ଏହାର ଉଦ୍ଦେଶ୍ୟ। ଗତ ୯ ମାସ ଭିତରେ ଏଥିରେ ଭଲ ଗ୍ରୋଥ୍ ହୋଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି।
ଅନ୍ୟପଟେ ଚୀନ ଉପରେ ନିର୍ଭରଶୀଳତା କମାଇଛି ଆମେରିକା। ଚୀନ ଠାରୁ ଆମେରିକାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ ୨୦୨୩ରେ ୪୬ ପ୍ରତିଶତ କମିଛି। ୨୦୧୮ରେ ମଧ୍ୟ ଆମେରିକା ୨୪ ପ୍ରତିଶତ କମ୍ ଆମଦାନୀ କରିଥିଲା। ଏହି ବର୍ଷ ଟ୍ରମ୍ପ ସରକାର ଚୀନ ସାମଗ୍ରୀ ଉପରେ ୨୫ ପ୍ରତିଶତ ଟ୍ୟାକ୍ସ ଲଗାଇଥିଲା ଆମେରିକା। ତେବେ କେବଳ ଭାରତ ନୁହେଁ ଭିଏତନାମ ଓ ତାଇୱାନ ମଧ୍ୟ ଆମେରିକାକୁ ବହୁ ପରିମାଣରେ ଇଲେକ୍ଟ୍ରୋନିକ୍ ସାମଗ୍ରୀ ରପ୍ତାନୀ କରିଛି। ଏହି ଦୁଇ ଦେଶ ଯଥାକ୍ରମେ ୪୨୦ ପ୍ରତିଶତ ଓ ୨୩୯ ପ୍ରତିଶତ ଇସାମଗ୍ରୀ ରପ୍ତାନୀ ବଢ଼ାଇଛନ୍ତି। ତେବେ ଭାରତ ବିଶେଷ କରି ସ୍ମାର୍ଟଫୋନ୍ ରପ୍ତାନୀ କ୍ଷେତ୍ରରେ ଭାରତ ଆଗାମୀ ୩-୫ ବର୍ଷ ମଧ୍ୟରେ ରପ୍ତାନୀ ୫ଗୁଣା ବଢ଼ାଇ ପାରିବ ବୋଲି ଆଇସିଇଏ ଅଧ୍ୟକ୍ଷ ପଙ୍କଜ ମହିନ୍ଦ୍ରୋ କହିଛନ୍ତି।