ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ୯ କୋଟି ୩ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ପଠାଇବେ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ୧୧ କୋଟି କୃଷକଙ୍କ ଆକାଉଣ୍ଟକୁ ୩ ଲକ୍ଷ କୋଟି ଟଙ୍କା ପଠାଯାଇଛି।
ଶ୍ରୀ ଚୌହାନ କହିଛନ୍ତି ଯେ ଜୁନ୍ ୧୮ରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ କୃଷକଙ୍କ କଲ୍ୟାଣ ସହ ଜଡିତ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଓ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।