ନୂଆଦିଲ୍ଲୀ: ଲୋକସଭାର ସଦାଚାର କମିଟି ଟଙ୍କା ନେଇ ପ୍ରଶ୍ନ କରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବହିଷ୍କାର ସୁପାରିଶ ରିପୋର୍ଟ ସୋମବାର ଗୃହରେ ଉପସ୍ଥାପନ କରିବ । ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ଲୋକସଭା ସଚିବାଳୟ ଦ୍ୱାରା ପ୍ରସାରିତ ଏଜେଣ୍ଡା ଅନୁସାରେ ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ କୁମାର ସୋନକର ପ୍ୟାନେଲର ରିପୋର୍ଟକୁ ଗୃହରେ ରଖିବେ । ଏହି କମିଟି ନଭେମ୍ୱର ୯ରେ ଏକ ବୈଠକରେ କ୍ୟାସ୍ ଫର୍ କ୍ୱେରି ଅଭିଯୋଗରେ ମହୁଆ ମୋଇତ୍ରଙ୍କୁ ଲୋକସଭାକୁ ବହିଷ୍କାର କରିବା ସୁପାରିଶ ସହ ନିଜ ରିପୋର୍ଟ ପ୍ରସ୍ତୁତ କରିଥିଲା । ତେବେ ଏଥିକ୍ସ କମିଟି ରିପୋର୍ଟ ସପକ୍ଷରେ ଗୃହ ଭୋଟ କଲେ ହିଁ ମୋହୁଆଙ୍କ ସଦସ୍ୟତା ରଦ୍ଦ ହେବ ।
କମିଟିର ଛଅ ସଦସ୍ୟ ରିପୋର୍ଟ ସପକ୍ଷରେ ସହମତି ପ୍ରଦାନ କରିଥିଲେ । ଏଥିରେ କଂଗ୍ରେସରୁ ନିଲମ୍ୱିତ ସାଂସଦ ପରନୀତ କୌର ମଧ୍ୟ ସାମିଲ ଥିଲେ । କମିଟିରେ ଥିବା ବିରୋଧୀ ଦଳର ଚାରି ସଦସ୍ୟ ରିପୋର୍ଟ ବିରୋଧରେ ମତଦାନ କରିଥିଲେ ।