ମହାବାତ୍ୟାକୁ ପୂରିଲା ୨୫ ବର୍ଷ । ଆଜି ବି ମନେ ପଡେ ସେଦିନର ସେହି କାଳ ରାତି। ୧୯୯୯ ମସିହା ଆଜିର ଦିନରେ ଓଡିଶା ଦେଖିଥିଲା ମହାବାତ୍ୟା। ଆଜି ବି ସେଦିନ କଥା ମନେ ପଡିଲେ ଲୋମ ଟାଙ୍କୁରୀ ଉଠେ। ଏଭଳି ସ୍ଥିତି ହେବ ବୋଲି କେହି କେବେ ଭାବିନଥିଲେ। ମହାବାତ୍ୟାର ତାଣ୍ଡବରେ କିଏ ନିଜ ପରିବାର ଲୋକଙ୍କ ହରାଇଥିଲା ତ ଆଉ କିଏ ନିଜ ବନ୍ଧୁ ପରିଜନଙ୍କୁ। ଆଜି ବି ଅନେକ ଲୋକ ମହାବାତ୍ୟାର ସେହି କରାଳ ରୂପକୁ ଭୁଲିପାରିନାହାନ୍ତି। ଅକ୍ଟୋବର ୨୯ ତାରିଖ ଆସିଲେ ସେ ଦିନର କଥା ମନେପଡେ।
୧୯୯୯ ଅକ୍ଟୋବର ୨୯ ତାରିଖରେ ଓଡ଼ିଶା ଶତାବ୍ଦୀର ସବୁଠୁ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିଥିଲା । ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ କ୍ଷେତ୍ର । ଯାହା କ୍ରମଶଃ ବାତ୍ୟାରେ ପରିଣତ ହୋଇ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା। ଘଣ୍ଟା ପ୍ରତି ୨୬୦ କିମି ବେଗରେ ବହିଥିଲା ପବନ। ଆଉ ମାଡି ଆସିଥିଲା ସମୁଦ୍ର ଜୁଆର। ପ୍ରଭାବିତ ହୋଇଥିଲେ ଲକ୍ଷ ଲକ୍ଷ ଲୋକ। ଏଥିରେ ପୋକମାଛି ଭଳି ମଣିଷ ମରିଥିଲେ । ଶବର ପାହାଡ଼ ଗଦା ହୋଇ ଯାଇଥିଲା । ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୩୧ ହଜାର ୯୪୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା ।
୧୯୯୯ ମହାବାତ୍ୟା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ମାଡ଼ ହୋଇଥିଲା । ଏହା ପ୍ରଭାବରେ ଘଣ୍ଟାକୁ ୨୬୦ରୁ ୨୭୦ କିଲୋମିଟର ବେଗରେ ପବନ ହୋଇଥିଲା । ଜଗତସିଂହପୁର ସହ ପୂରା ଉପକୂଳକୁ ଏହା ଛାରଖାର କରି ଦେଇଥିଲା । ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ସାଢ଼େ ୪ ଲକ୍ଷ ଗୃହପାଳିତ ପଶୁ ବି ମରିଥିଲେ । ଉପକୂଳ ଓଡ଼ିଶାର ୭୫% ଦ୍ରୁମ ମାଟିରେ ଶୋଇଥିଲା । ମହାବାତ୍ୟା ପରେ ଓଡ଼ିଶାର ଚିତ୍ର ବଦଳି ଯାଇଥିଲା । ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳ ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା । ସମୁଦ୍ରରୁ ଜନବସତି ଅଞ୍ଚଳକୁ ୨୦ ଫୁଟର ଜୁଆର ପାଣି ମାଡ଼ି ଆସିଥିଲା । ଏଭଳି ଧ୍ୱଂସଳୀଳା ରାଜ୍ୟକୁ ଅନେକ ବର୍ଷ ପଛକୁ ନେଇ ଯାଇଥିଲା ।
ମହାବାତ୍ୟା ଓଡ଼ିଶାର ମେରୁଦଣ୍ଡ ଭାଙ୍ଗିଥିଲା ସତ, କିନ୍ତୁ ଅନେକ ସରକାରୀ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିଥିଲା । ଏଥିରୁ ଶିଖିବା ପରେ ସରକାର ତତ୍କାଳ ବିପର୍ଯ୍ୟୟ ପରିଚାଳନା ନୀତି ଆଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ଗଢ଼ା ହେଲା । ଗାଁ, ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଢ଼ା ହେଲା । ଏହା ପରେ ଜନ୍ମ ନେଇଥିଲା ଓସ୍ଡମା(ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ଏବଂ ଓଡ୍ରାଫ୍ । ୧୯୯୯ ବାତ୍ୟା ପୂର୍ବରୁ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳ ଥିଲା । ଏହା ପରେ ୧୦ ହଜାର ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ଶହ ଶହ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଖୋଲିଥିଲା । ମହାବାତ୍ୟା ପରେ ଓଡ଼ିଶା ୧୩ଟି ବାତ୍ୟାକୁ ସାମ୍ନା କରି ସାରିଲାଣି । ଏଥିରୁ ୯ଟି ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳରେ ମାଡ଼ ହୋଇଛି, ୪ଟିର ପ୍ରଭାବ ପଡ଼ିଛି । କିନ୍ତୁ ଓଡ଼ିଶା ପ୍ରତିଥର ଏହାକୁ ସଫଳ ମୁକାବିଲା କରିଛି ।