ପୁରୀ : ପୁରୀରେ ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ । ଶନିବାର ବଡ଼ି ଭୋରୁ ୫ଟି ଅଧ୍ୟକ୍ଷ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ। ଏହାପରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ ।
ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ଥିବାରୁ ନିର୍ମାଣ କାର୍ଯ୍ୟ କେତେ ଶିଘ୍ର ଶେଷ ହେବ ସେନେଇ ଠିକା ସଂସ୍ଥା ଟାଟା ଓ ଓବିସିସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଭକ୍ତଙ୍କ ପାଇଁ ନିର୍ମାଣ ଚାଲିଥିବା ଏସି ସେଡ୍ ପାଥ୍ ୱେ ସହ ଅଭ୍ୟର୍ଥନା କେନ୍ଦ୍ରର ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ।
ନୂଆବର୍ଷରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇ ଏକ ନୂଆ ଅନୁଭୂତି ଯେଭଳି ପାଇବେ ସେନେଇ ତୁରନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ୫ଟି ଅଧ୍ୟକ୍ଷ । ସେହିପରି ଜଗନ୍ନାଥ ବଲ୍ଲଭ ପାର୍କିଂ ଠାରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ନୂତନ ରାସ୍ତା ଶ୍ରୀମାର୍ଗର କାର୍ଯ୍ୟ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ।