ଆଇଜଲ : ମିଜୋରାମ୍ ପଥର ଖାଦାନ ଭୟଙ୍କର ଦୁର୍ଘଟଣାରେ ଏବେ ସୁଦ୍ଧା ୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ୪ଜଣ ଶ୍ରମିକ ଏବେ ବି ମାଟି ଅତଡ଼ା ତଳେ ଦବି ରହିଛନ୍ତି । ଶ୍ରମିକମାନଙ୍କୁ ମାଟି ତଳୁ ବାହାର କରିବା ନେଇ ଉଦ୍ୟମ ଜାରି ରହିଛି । ଏସଡିଆରଏଫ, ବିଏସଏଫ ଏବଂ ଆସାମ ରାଇଫଲ୍ସର ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସମସ୍ତ ୧୨ଜଣ ଶ୍ରମିକ ବିହାରର ହୋଇଥିବାବେଳେ ଏମାନଙ୍କ ପରିଚୟ ମିଳିପାରିନାହିଁ ।
ପୋଲିସର ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୩ଟା ସମୟରେ ଦକ୍ଷିଣ ମିଜୋରାମର ହନାଥିଆଲ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା । ମୌଦାଢ ଗାଁ ନିକଟସ୍ଥ ଏବିସିଆଇ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍ର ଶ୍ରମିକ ପଥର ଖନନ କାମ କରୁଥିଲେ। ଏହି ସମୟରେ ଅଚାନକ ପଥର ଖଣି ଭୁଶୁଡ଼ି ପଡ଼ିଥିଲା । ଏଥିରେ ୧୨ଜଣ ଶ୍ରମିକ ମାଟି ଅତଡ଼ା ତଳେ ଦବି ହୋଇଯାଇଥିଲେ । ଖବର ମିଳିବା ପରେ ସ୍ଥାନୀୟ ଲୋକଙ୍କ ମିଶି ଏସଡିଆରଏଫ, ବିଏସଏପ୍ ଓ ଆସାମ ରାଇଫଲ୍ସର ଯବାନମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।