ନୂଆଦିଲ୍ଲୀ : ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ଘରୋଇ ଗ୍ରାଉଣ୍ଡରେ ରେକର୍ଡ ବଜାୟ ରଖିବାକୁ ପ୍ରୟାସ କରିବ ଭାରତ। ସେପଟେ ଭାରତରେ ନ୍ୟୁଜିଲାଣ୍ଡ ପ୍ରଥମ ସିରିଜ ବିଜୟ ନେଇ ଲକ୍ଷ୍ୟ ରଖିଛି। ନ୍ୟୁଜିଲାଣ୍ଡ ଆଜି ପର୍ଯ୍ୟନ୍ତ ଭାରତରେ କୌଣସି ସିରିଜ ଜିତିନଥିବା ବେଳେ ଆଜିର ମ୍ୟାଚ ଜିତି ଏହାକୁ ସ୍ମରଣୀୟ କରିବାକୁ ପ୍ରୟାସ କରିବ।
ସେହିପରି ଘରୋଇ ଭାରତୀୟ ଟିମ ଘରୋଇ ଗ୍ରାଉଣ୍ଡରେ ରେକର୍ଡକୁ କାଏମ ରଖିବାକୁ ପ୍ରଚେଷ୍ଟା କରିବ। ଟି-୨୦ ସିରିଜରେ ଭାରତୀୟ ଦଳର ସିନିୟର ମାନଙ୍କୁ ବିଶ୍ରାମ ଦିଆଯାଇଥିଲେ ହେଁ ଯୁବ ଖେଳାଳିଙ୍କୁ ନେଇ ଗଠିତ ଟି-୨୦ ଟିମ୍ ବହୁତ ସୁଦୃଢ ରହିଛି। ଦଳରେ ଏକାଧିକ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ଟିମରେ ମଧ୍ୟ ବହୁ ଅଭିଜ୍ଞ ଖେଳାଳି ସ୍ଥାନ ପାଇଛନ୍ତି । ଶୃଙ୍ଖଳିତ ଢଙ୍ଗରେ ନ୍ୟୁଜିଲାଣ୍ଡ ଲଢୁଆ ପ୍ରଦର୍ଶନ ଜାରି ରଖିଥିବା ବେଳେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ।
ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ୧-୧ ସ୍ଥିତିରେ ରହିଛି। ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍କୁ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ୨୧ ରନ୍ରେ ଜିତିନେଇଥିଲା ବେଳେ ଲକ୍ଷ୍ନୌରେ ଦ୍ବିତୀୟ ମ୍ୟାଚ୍କୁ ଘରୋଇ ଭାରତ ୬ ୱିକେଟ୍ରେ ଜିତି ସ୍ଥିତି ବରାବର କରିଥିଲା। ଶୃଙ୍ଖଳା ଜିତିବା ପାଇଁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ପାଲଟିଯାଇଛି। ଯଦି ଭାରତ ଜିତେ ତାହାଲେ ଘରୋଇ ମାଟିରେ ଶୃଙ୍ଖଳା ବିଜୟ ଧାରା ଲମ୍ବାଇବ। ଅନ୍ୟପକ୍ଷରେ ଭାରତରେ ପ୍ରଥମ ଦ୍ବିପାକ୍ଷିକ ଶୃଙ୍ଖଳା ଜିତିବା ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ୍। ୨୦୧୨ରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦କୁ ଜିତିବା ବ୍ୟତୀତ ନ୍ୟୁଜିଲାଣ୍ଡ୍ କେବେ ବି କୌଣସି ଫର୍ମାଟ୍ର ଦ୍ବିପାକ୍ଷିକ ଶୃଙ୍ଖଳାରେ ଭାରତକୁ ପରାସ୍ତ କରିପାରିନାହିଁ।
ସମ୍ଭାବ୍ୟ ଭାରତ ଏକାଦଶ : ଶୁବମନ ଗିଲ୍, ଈଶାନ କିଶନ, ରାହୁଲ ତ୍ରିପାଠୀ/ପୃଥ୍ବୀ ସ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ୍ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଦା, ୱାସିଂଟନ୍ ସୁନ୍ଦର, ଶିବମ ମାଭି, କୁଲ୍ଦୀପ ଯାଦବ, ଉମ୍ରାନ ମଲିକ, ଅର୍ଶଦୀପ ସିଂହ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ : ଫିନ୍ ଆଲେନ, ଡେଭନ କନ୍ୱେ, ମାର୍କ ଚାପମାନ୍, ଗ୍ଲେନ୍ ଫିଲିପ୍ସ, ଡାରିଲ ମିଚେଲ, ମାଇକେଲ ବ୍ରାସ୍ୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ଈଶ ସୋଢ଼ି, ଲୋକି ଫର୍ଗୁସନ, ଜାକୋବ ଡଫ୍, ବ୍ଲେୟାର ଟିକ୍ନର।