ନୂଆଦିଲ୍ଲୀ : ଆଜି ହେଉଛି ଫେବୃଆରୀ ୧୪ । ଚାରିଆଡ଼େ ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍ ପ୍ରେମ ଦିବସ ପାଳନ କରାଯାଉଛି ହେଲେ ଆଜି ଆମ ଦେଶବାସୀଙ୍କ ପାଇଁ ଏକ କଳାର ଦିନ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । କରାଣ ଆଜିର ଦିନରେ ଭାରତ ମାତାର ସୁଯୋଗ୍ୟ ସନ୍ତାନ ନିଜ ମାଟି ମାଆକୁ ବଞ୍ଚାଇବାକୁ ଯାଇ ଶହୀଦ ହୋଇଥିଲେ । ୨୦୧୯ ମସିହା ଠିକ୍ ଆଜିର ଦିନରେ ପୁଲୱାମାରେ ଘଟିଥିଲା ବଡ଼ ଆତଙ୍କୀ ହମଲା । ଯେଉଁଥିରେ ଭାରତ ମାଆର ୪୦ ଜଣ ସନ୍ତାନ ଶହୀଦ ହୋଇଥିବା ବେଳେ ପ୍ରାୟ ୩୫ରୁ ଅଧିକ ଆହତ ହୋଇଥିଲେ ।
ସେଦିନ ମନେ ପଡ଼ିଲେ ପ୍ରତିଟି ଭାରତୀୟଙ୍କ ଲୋମ ଟାଙ୍କୁରି ଉଠିବା ସହ କ୍ରୋଧ ଓ କୋହରେ ମନ ଭରିଯାଏ । ୭୬ ତମ ବାଟାଲିୟନର ଯବାନଙ୍କୁ ନେଇ ବସ୍ ଟି ଯାଉଥିବା ବେଳେ ଭୟଙ୍କର ବିସ୍ଫୋରକ ଆରଡ଼ିଏକ୍ସ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କେହି କିଛି ବୁଝିବା ଆଗରୁ ସବୁ କିଛି ଧ୍ୱସ୍ତ ବିଧ୍ୱସ୍ତ ହୋଇପଡ଼ିଥିଲା । ପୁଲୱାମା ଯାହା କାଶ୍ମୀରର ସବୁଠାରୁ ବଡ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଭାବରେ ପରିଚିତ ସେହି ଦିନ ଏହି ଅଞ୍ଚଳରେ କେବଳ ରକ୍ତର ଧାର ଧାର ସୁଅ ଛୁଟିଥିଲା ।
ଘଟଣା ପରେ ଧିରେ ଧିରେ ଶହୀଦଙ୍କ ସଂଖ୍ୟା ବଢିଲା ଓ ଆହତଙ୍କ ସଂଖ୍ୟା ବି । ଏହାକୁ ନେଇ ରାଜନୀତି ବି ଜୋର ଧରିଥିଲା । ହେଲେ ସେହି ସୁଯୋଗ୍ୟ ସନ୍ତାନ ମାନେ ଆଉ ଘରକୁ ବାହୁଡି଼ଲେନି । ସେହି ୪୦ ସିଆରପିଏଫ ଶହୀଦ ଯବାନଙ୍କ ସ୍ମୃତିରେ ପୁଲୱାମାର ଲେଥପୋରା ଅଞ୍ଚଳରେ ଗତ ବର୍ଷ ଏହି ସ୍ମାରକୀ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ପୁଲୱାମା ହମଲାକୁ ଆଜି ସାରା ଦେଶ ମନେ ପକାଇଛି ।
ପୁଲୱାମା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପାକିସ୍ତାନକୁ ଚେତାବନୀ ଦେଇଥିଲେ ଯେ, କାଶ୍ମୀରରେ ରକ୍ତ ଓ ଜଳ ଏକାସାଙ୍ଗରେ ପ୍ରବାହିତ ହୋଇପାରିବ ନାହିଁ। ପୁଲୱାମାର ଶହୀଦଙ୍କ ତ୍ରୟୋଦଶ ଦିନରେ ପ୍ରତିଶୋଧ ନେଇଥିଲା ଭାରତ । ୨୬ ଫେବୃଆରୀ ୨୦୧୯ ରେ, ପାକିସ୍ତାନର ବାଲାକୋଟରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ ଜୈଶ-ଏ-ମହମ୍ମଦ ସଂଗଠନର ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା ଭାରତ।