ଛତ୍ରପୁର : ପ୍ରାୟ ୪୫ ଦିନର ବ୍ୟବଧାନ ପରେ ଦୁନିଆ ଦେଖିଲେ ଅଲିଭ୍ ରିଡ୍ଲେ ଶାବକ । ଧଳା ଅଣ୍ଡାର ଖୋଳପାରୁ ବାହାରି କୁନି କୁନି ପାଦରେ ସମୁଦ୍ରମୁହାଁ ହୋଇଛନ୍ତି ହଜାର ହଜାର ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡ୍ଲେ ଶାବକ। ଗଞ୍ଜାମ ଜିଲା ତଥା ଗଞ୍ଜାମ ବ୍ଲକ୍ର ବଙ୍ଗୋପସାଗର ସମୁଦ୍ରତଟ- ଋଷିକୁଲ୍ୟା ମୁହାଣରେ ପ୍ରକୃତିର ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି।
ଗତ ଫେବ୍ରୁଆରୀ ମାସ ଶେଷ ସପ୍ତାହରେ ଏହି ଅଞ୍ଚଳରେ ରେକର୍ଡ ସଂଖ୍ୟାରେ ସାମୂହିକ ଅଣ୍ଡାଦାନ ହୋଇଥିଲା। ଚଳିତ ବର୍ଷର ଗଣଅଣ୍ଡାଦାନ ଗତ ୩୦ ବର୍ଷର ରେକର୍ଡ ପାର୍ କରିଥିଲା। ୬.୩୭ ଲକ୍ଷ ସଂଖ୍ୟକ ସାମୂହିକ ଅଣ୍ଡା ଦେଇଥିଲେ ଅଲିଭ୍ ରିଡ୍ଲେ ମା’ କଇଁଛ। ଏବେ ଋଷିକୁଲ୍ୟା ମୁହାଣ ନିକଟ ପୋଡ଼ମପେଟା ଗ୍ରାମ ସମୁଦ୍ର ବେଳାଭୂମି ବାଲିରେ ପୋତାଯାଇଥିବା ଅଣ୍ଡାରୁ ଛୁଆ ବାହାରିଛନ୍ତି। ସେମାନେ ଯେପରି ସୁରକ୍ଷିତ ଭାବେ ସମୁଦ୍ରକୁ ଯାଇପାରିବେ ସେଥିପାଇଁ ବନ ବିଭାଗ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି।