ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହେବ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ । ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଏପ୍ରିଲ ୧୮ରୁ ୨୨ ଓ ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ ୨୯ରୁ ମେ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ୨୦ଟି ସ୍ଥାନ ପରିଦର୍ଶନ କରିବେ।
ସୂଚନା ଅନୁସାରେ, କ୍ଷେତ୍ର ପରିଦର୍ଶନ ଟିମ୍ରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ଦୁଇ ସଦସ୍ୟ, ରେଜିଷ୍ଟ୍ରାର, ଦୁଇ ଆସେସର୍ଙ୍କ ସମେତ ପକ୍ଷଭୁକ୍ତ ରାଜ୍ୟ ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡର ଟିମ୍ ସାମିଲ ହେବେ। ରାଜ୍ୟମାନଙ୍କ ଟିମ୍ରେ ଆଇନଜୀବୀ, ବୈଷୟିକ ସଦସ୍ୟ, ଅଧିକାରୀ ଓ କନସଲ୍ଟାଣ୍ଟ ରହିବେ। ଓଡ଼ିଶା ଟିମ୍ରେ ୪ ଜଣ ଆଇନଜୀବୀଙ୍କ ସମେତ ମୋଟ ୨୦ ସଦସ୍ୟ ରହିବେ ବୋଲି ଜଣାପଡ଼ିଛି। ଏକତରଫା ଓ ବେଆଇନ ଭାବେ ମହାନଦୀ ଜଳକୁ ଛତିଶଗଡ଼ ଅଟକାଇ ରଖୁଥିବା ଅଭିଯୋଗର ବାସ୍ତବ ସ୍ଥିତି ଉପରେ ଟ୍ରିବ୍ୟୁନାଲ ଗସ୍ତ କାଳରେ ଅବଗତ ହେବେ ବୋଲି ଓଡ଼ିଶା ଟିମ୍ ଆଶାରଖିଛି।