ଭୁବନେଶ୍ବର- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ‘ମୋ ଘର’ ଯୋଜନାକୁ ମିଳିଛି ଅନୁମୋଦନ। ଏହି ଯୋଜନାରେ ଗରିବ ଲୋକଙ୍କୁ ଘର ନିର୍ମାଣ ପାଇଁ ମିଳିବ ସରକାରୀ ସହାୟତା। ନିମ୍ନ ଆୟକାରୀ ପରିବାରର ଯେଉଁ ହିତାଧିକାରୀ କୌଣସି ସରକାରୀ ଯୋଜନାରେ ଘର ପାଇନଥିବେ ସେମାନେ ‘ମୋ ଘର’ ଯୋଜନାର ଲାଭ ପାଇପାରିବେ । ଏହି ଯୋଜନାରେ ହିତାଧିକାରୀ ନୂଆ ଘର କିମ୍ବା ଭଙ୍ଗାଘରକୁ ସଜାଡି ପାରିବେ ତଥା ଅସଂପୂର୍ଣ୍ଣ ଘରକୁ ସଂପୂର୍ଣ୍ଣ କରିପାରିବେ ।
ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ବ୍ୟାଙ୍କଋଣ ପାଇପାରିବେ । ଦଶ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାର ସୁବିଧା ରହିଛି । ୧ ଲକ୍ଷ ଋଣ କଲେ ସାଧାରଣ ବର୍ଗଙ୍କୁ ୩୦ ହଜାର, ଅନୁସୂଚିତ ଜାତି ଓ ଜନଜାତିଙ୍କୁ ୪୦ ହଜାର ଟଙ୍କାର ସବସିଡି ମିଳିବ । ଜଣେ ହିତାଧିକାରୀ ଅତି କମରେ ୧ ଲକ୍ଷ, ଦେଢ ଲକ୍ଷ, ୨ଲକ୍ଷ ଏବଂ ୩ ଲକ୍ଷ ଟଙ୍କା ଋଣ ପାଇପାରିବେ । ଦେଢ଼ ଲକ୍ଷରେ ୪୫ ଓ ୫୫ ହଜାର, ୨ ଓ ୩ ଲକ୍ଷରେ ୬୦ ଓ ୭୦ ହଜାର ସବସିଡି ମିଳିଵ । ପ୍ରଥମ ବର୍ଷକୁ ବାଦ୍ ଦେଇ ବାକି ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିପାରିବେ ।
କଚ୍ଚା ଘର ଥିଲେ କିମ୍ବା ଗୋଟିଏ ବଖରା ଛାତ ଘର ଥିଲେ ହିତାଧିକାରୀ ପାଇପାରିବେ ଋଣ । ପରିବାରର ମାସିକ ଆୟ ୨୫ ହଜାରରୁ କମ୍ ଥିଲେ ଋଣ ପାଇବେ । ୫ ଏକର ଜଳସେଚିତ, ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଥିଲେ ମଧ୍ୟ ମିଳିବ ଋଣ । ଘର ନିର୍ମାଣ ପରେ ରାଜ୍ୟ ସରକାର ସବସିଡି ରାଶି ପ୍ରଦାନ କରିବେ ।
ଋଣ ପାଇବାକୁ ସ୍ୱତନ୍ତ୍ର ୱେବସାଇଟରେ ଜୁନ୍ ୧୬ରୁ ଆବେଦନ ଆରମ୍ଭ ହେବ https://rhodisha.sov.inlmoghara/ ଲିଙ୍କରେ କ୍ଲିକ୍ କରି ଆବେଦନ କରିପାରିବେ । ଆବେଦନ ପୂର୍ବରୁ ୱେବସାଇଟରେ ପଞ୍ଜିକରଣ କରିବାକୁ ପଡିବ ।
ଆବେଦନ ବେଳେ ପାସପୋର୍ଟ ସାଇଜର ଫଟୋ, ଆଧାର କାର୍ଡ, କେୱାଇସି ଡକ୍ୟୁମେଣ୍ଟ, ଜମି ରେକର୍ଡ, ଜାତି ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଆବଶ୍ୟକ । ଗୃହ ନିର୍ମାଣର ସ୍ତର ଅନୁସାରେ ଋଣ ରାଶି ୨/୩ ପର୍ଯ୍ୟାୟରେ ପ୍ରଦାନ କରାଯିବ ।
ହିତାଧିକାରୀ ଇଚ୍ଛା କଲେ ୧୦ ବର୍ଷ ପୂର୍ବରୁ ଋଣ ପରିଶୋଧ କରିପାରିବେ ବ୍ୟାଙ୍କ ହିତାଧିକାରୀଙ୍କ ଠାରୁ ପ୍ରାକ୍ ଋଣ ପରିଶୋଧ ବାବଦରେ କୌଣସି ଜରିମାନା ଅର୍ଥ ଆଦାୟ କରିବେ ନାହିଁ । ୪ ଲକ୍ଷ ହିତାଧିକାରୀଙ୍କ ପାଇଁ ୨ ବର୍ଷରେ ୨୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ବ୍ୟକ୍ତିଗତ ବ୍ୟବହାର କିମ୍ବା ବ୍ୟବସାୟ ପାଇଁ ବ୍ୟବହାର ପାଇଁ ଚାରିଚକିଆ ଯାନ ଥିଲେ ଯୋଜନାର ଲାଭମିଳିବନି । ସେହିପରି ପରିବାର ସଦସ୍ୟ ସରକାରୀ ଚାକିରୀ କିମ୍ବା ପେନସନ ଭୋଗୀ ହୋଇଥିଲେ ଯୋଜନାର ଲାଭ ମିଳିବନି ବୋଲି କୁହାଯାଇଛି ।