ଯାଜପୁର : ଯାଜପୁର ଜିଲା ଯାଜପୁର ରୋଡ଼ ସ୍ଥିତ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଅଳଙ୍କାର ଦୋକାନରୁ ଡ଼କାୟତି ଘଟଣା । ଯାଜପୁର ରୋଡ଼ ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣଙ୍କ ବିହାରର ରୁପେଶ କୁମାର ବୋଲି ଜଣାପଡିଛି । ଏଥିସହିତ ଚୋରିରେ ବ୍ୟବହୃତ ୩ଟି ବାଇକ୍, ୨ଟି ମୋବାଇଲ ଫୋନ, ଡ୍ରାଇଭିଂ ଲାଇସେନ୍ସ ଓ ଆଧାର କାର୍ଡ ଆଦି ଜବତ କରିଛି ପୋଲିସ ।
ଏହି ଘଟଣାରେ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସପି କହିଛନ୍ତି । ସୂଚନା ମୁତାବକ ଗତ ମେ ମାସ ୧୫ ତାରିଖରେ ଯାଜପୁର ରୋଡ଼ ସ୍ଥିତ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଅଳଙ୍କାର ଦୋକାନରୁ ଡ଼କାୟତି ହୋଇଥିଲା । ଦିନ ଦ୍ୱିପ୍ରହରରେ ୬ ଜଣ ସଶସ୍ତ୍ର ଡକାୟତ ଅଳଙ୍କାର ଦୋକାନ ଭିତରେ ପଶି ବନ୍ଧୁକ ମୁନରେ ସମସ୍ତ ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ। ଲୁଟେରାଙ୍କ ଆକ୍ରମଣରେ ଅଳଙ୍କାର ଦୋକାନର ୨ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ। ତେବେ ଅଳଙ୍କାର ଦୋକାନ ମାଲିକଙ୍କ ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଯାଜପୁର ରୋଡ଼ ପୋଲିସ । ଏଥିସହିତ ଏହି ଘଟଣାକୁ ଗୁରୁତର ସହ ନେଇ ଯାଜପୁର ଏସପି ଓ କେନ୍ଦ୍ରାଞ୍ଚଳ ଆଇ.ଜି ଘଟଣାସ୍ଥଳକୁ ଆସି ଛାନଭିନ୍ କରିଥିଲେ । ତେବେ ମୁଖ୍ୟ ଅଭିଯୁକ୍ତମାନେ ଏବେବି ଫେରାର ରହିଥିବା ବେଳେ ଡ଼କାୟତିରେ ତାଙ୍କୁ ସହଯୋଗ କରିଥିବା ରୁପେଶକୁ ବାଲେଶ୍ଵରରୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନେ ଖୁବଶିଘ୍ର ଧରାପଡିବେ ବୋଲି ଯାଜପୁର ଏସପି କହିଛନ୍ତି ।