ନୂଆଦିଲ୍ଲୀ : ଆଜି ଗଣେଶ ଚତୁର୍ଥୀ। ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର ଗଜାନନଙ୍କ ପୂଜା । ଏହି ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ ବର୍ଷ ପରେ କୋରୋନା କଟକଣା ମୁକ୍ତରେ ଗଣନାଥଙ୍କ ପୂଜା ହେଉଥିବାରୁ ସବୁଆଡେ ଉତ୍ସବର ମହୋଲ ରହିଛି ।
ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, “ଗଣେଶ ଚତୁର୍ଥୀରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା। ବିଘ୍ନହର୍ତ୍ତା, ମଙ୍ଗଳମୂର୍ତ୍ତୀ ଭଗବାନ ଗଣେଶ ଜ୍ଞାନ, ସିଦ୍ଧି ଏବଂ ସୌଭାଗ୍ୟର ପ୍ରତୀକ। ଶ୍ରୀଗଣେଶଙ୍କ ଆର୍ଶୀବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ମୋର କାମନା।”
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣେଶ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି,” ଭଗବାନ ଶ୍ରୀଗଣେଶ ସସସ୍ତଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରି ଦିଅନ୍ତୁ ଏତିକି କାମନା । ଗଣପତି ବାପା ମୋରିଆ ।”
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଗଣେଶ ଚତୁର୍ଥୀ ଶୁଭେଚ୍ଛା ଜଣାଇ କହିଛନ୍ତି, “ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସିଦ୍ଧିବିନାୟକ ପ୍ରଭୁ ଶ୍ରୀ ଗଣେଶଙ୍କ ଅପାର କରୁଣାରୁ ପ୍ରତ୍ୟକଟି ଜୀବନ ସୁଖ ଓ ମଙ୍ଗଳମୟ ହେଉ।”
ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଶୁଭକାମନା ଜଣାଇବା ସହ ବିଘ୍ନ ବିନାଶକ ବିନାୟକଙ୍କ କରୁଣା ସମସ୍ତଙ୍କୁ ପ୍ରାପ୍ତ ହେଉ ବୋଲି କହିଛନ୍ତି ରାଜ୍ୟପାଳ।
କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ରୁଦ୍ଧି ସିଦ୍ଧି ଦାତା ଭଗବାନ ଗଣେଶ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଆଶିଷ ଓ ଆରୋଗ୍ୟ ଆଣନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।