କୋଲକାତା : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବେଳେ ବ୍ୟାପକ ହିଂସା। ମତଦାନ ସମୟରେ ଅଧିକାଂଶ ସ୍ଥାନରେ ମାରପିଟ୍, ବୋମାମାଡ଼ ଓ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏହି ହିଂସାକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ଅନେକ ସ୍ଥାନରେ ବୁଥ୍ କ୍ୟାପଚରିଂ ଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଉପଦ୍ରବୀମାନେ ପୋଲିଂ ବୁଥ୍ ଓ ବାଲାଟ୍ ପେପରେ ନିଆଁ ଲାଗାଇ ଦେଇଛନ୍ତି ।
ମୁର୍ଶିଦାବାଦର ବେଲଡଙ୍ଗାରେ କଂଗ୍ରେସ ଓ ଟିଏମସି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହିଂସା ହୋଇଛି । କୁଚବିହାରରେ ଥିବା ମତଦାନ କେନ୍ଦ୍ରରେ ମଧ୍ୟରେ ଭଙ୍ଗାରୁଜା ହୋଇଛି। ଜଲପାଇଗୁଡ଼ିରେ ‘ବିଜେପି’ ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ମାରପିଟ୍ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଟିଏମସିର ୨ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି ।
ସେହିପରି ଉତ୍ତର ୨୪ ପ୍ରଗଣା ଜିଲ୍ଲା ପିରଗାଛା ଅଞ୍ଚଳରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ଟିଏମ୍ ସି ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ହୁଗୁଳିରେ ଜଣେ ‘ତୃଣମୂଳ କଂଗ୍ରେସ’ ପ୍ରାର୍ଥୀଙ୍କୁ ଭୀଷଣ ମାଡ଼ ମରାଯାଇ ବୁଥ୍ ଭିତରକୁ ଛଡ଼ାଯାଇ ନ ଥିବା ଅଭିଯୋଗ ହୋଇଛ। ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଟିଏମସିର ୪ଜଣ କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତରାତିରେ ରେଜିନଗରରେ ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଖାରଗ୍ରାମରେ ଜଣକୁ ଛୁରି ଭୁସି ହତ୍ୟା କରାଯାଇଛି। ଆଜି ସକାଳେ ବେଲଦାଙ୍ଗାରେ ଜଣକୁ ଗୁଳି ମାରି ହତ୍ୟା କରାଯାଇଥିବା ବେଳେ ତୁଫାନଗଞ୍ଜରେ ବି ଜଣେ ଟିଏମସି କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।