ଲକ୍ଷ୍ନୌ: ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷରେ ରବିବାର ଖେଳା ଯିବାକୁ ଥିବା ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଦଳର ତାରକା ବ୍ୟାଟର କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ର ପୂର୍ବ ସନ୍ଧ୍ୟାରେ ଏହାର ସୂଚନା ଦେଇଛନ୍ତି। ରାହୁଲ ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ପାଣ୍ଡ୍ୟାଙ୍କ ସ୍ଥାନରେ ରବିବାର ମୁକାବିଲାରେ ସୂର୍ଯ୍ୟକୁମାର ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ଉଲ୍ଲେଖନୀୟ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୋଇଠିରେ ଆଘାତ ଲାଗିଥିଲା।
କେଏଲ ରାହୁଲ ସାମ୍ବାଦିକ ସମ୍ମିଳନୀରେ ପରୋକ୍ଷରେ ଜଣାଇ ଦେଇଛନ୍ତି ଯେ, ଇଂଲଣ୍ଡ ବିପକ୍ଷରେ ମୁକାବିଲାରେ ଭାରତୀୟ ଦଳ ଗତ ମ୍ୟାଚ୍ ଖେଳିଥିବା ଦଳ ସହ ମଇଦାନକୁ ଓହ୍ଲାଇବ। ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆହତ ସମସ୍ୟାରୁ ସୁସ୍ଥ ହେବା ପାଇଁ ଆହୁରି ସମୟ ଲାଗିବ। ରାହୁଲ କହିଛନ୍ତି, ହାର୍ଦ୍ଦିକ ଆମ ଦଳର ଜଣେ ଗୁରୁତ୍ଵପୂର୍ଣ୍ଣ ସଦସ୍ୟ। ଏଥିପାଇଁ ଦଳରେ ତାଙ୍କର ଅନୁପସ୍ଥିତି ଅନୁଭୂତ ହେଉଛି। ବୋଧହୁଏ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିପାରେ। ଆମେ ଜାଣିଛୁ ଏହି ବ୍ୟାଟର କଣ କରି ପାରନ୍ତି। ଏଥିପାଇଁ ଆମେ ହାର୍ଦ୍ଦିକ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଉପରେ ଭରସା ପ୍ରକଟ କରୁଛୁ।