ପୁରୀ : ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହା ଗୁପ୍ତ ନୀତି ହୋଇଥିବାରୁ ପ୍ରାୟ ୩ ଘଣ୍ଟା ବନ୍ଦ ରହିବ ଦର୍ଶନ ।
ଖବର ଅନୁଯାୟୀ, ଅପରାହ୍ନରେ ଏହି ନୀତି ସଂପନ୍ନ ହେବ । ଏଣୁ ଭକ୍ତମାନେ ଏହି ସମୟରେ ପ୍ରାୟ ୩ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ । ଅପରାହ୍ନରେ ୨ୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଏ । ବୁଧବାର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ବନକଲାଗି ସମୟ ଧାର୍ଯ୍ୟ ହେବ ।