ଭୁବନେଶ୍ୱର : ଆଜି ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ଲୋକଭାଷାରେ ‘ପରୁହାଁ ଅଷ୍ଟମୀ’ ବା ‘ପଢ଼ୁଆଁ ଅଷ୍ଟମୀ’। ଏହିଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’।
ଓଡ଼ିଆ ପରମ୍ପରା ଅନୁଯାୟୀ, ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୂବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ, ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତା ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି। ପରମ୍ପରା ଅନୁଯାୟୀ, ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁଁଘରୁ ଆସିଥାଏ। ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଉଣୀ ଘରକୁ ଯାଇ ଭଣଜା ଭାଣିଜୀକୁ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ‘ଅଷ୍ଟମୀ ବନ୍ଧୁ’ ବୋଲି କୁହାଯାଏ ।
ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ। ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପର୍ବରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ । କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର କରାଯାଏ। ଛେନା, ନଡ଼ିଆପୁର, ଗୁଡ଼, ଉଆପକ୍ଷିଆ ଚାଉଳ, ହଳଦୀ ପତ୍ର ଏବଂ ବିରିରେ ଏଣ୍ଡୁରି ପିଠା ତିଆରି କରାଯାଏ। ଏଣ୍ଡୁରିପିଠା ପାଇଁ ଯେଉଁ ସ୍ୱତନ୍ତ୍ର ଅଥାର ହାଣ୍ଡି ପ୍ରସ୍ତୁତ କରାଯାଇଥାଏ, ସାତଦିନ ଧରି ତାହା ରହେ ଏବଂ ତହିଁରେ ପିଠା ପ୍ରସ୍ତୁତ ହୁଏ। ସପ୍ତମ ଦିନ ଏହି ଅଥାର ହାଣ୍ଡି ଭଙ୍ଗାଯାଏ।