ନୂଆଦିଲ୍ଲୀ: ଅନଲାଇନ୍ ମ୍ୟୁଜିକ୍ ଷ୍ଟ୍ରିମିଂ ଆପ୍ ‘ସ୍ପଟିଫାଏ’ ପୁଣି ଥରେ ବଡ଼ ଧରଣ ଛଟେଇ କରିବାକୁ ଯାଉଛି । ସାରା ଦୁନିଆର ୧୫ ଶହ କର୍ମଚାରୀଙ୍କୁ କମ୍ପାନି ବିଦା କରିବ ବୋଲି ଘୋଷଣା କରିଛି । ଜାନୁଆରୀରେ ୬୦୦ ଏବଂ ଜୁନରେ ୨୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିଲା କମ୍ପାନି । ଏବେ ପୁଣି ଥରେ ଏହାର ୧୭ ପ୍ରତିଶତ କର୍ମଚାରୀ ଚାକିରି ହରାଇବାକୁ ଯାଉଛନ୍ତି ।
ସ୍ପଟିଫାଏ ସିଇଓ ଡାନିଏଲ ଏକ୍ କହିଥିଲେ ଯେ, କମ୍ପାନି ୨୦୨୦ ଏବଂ ୨୦୨୧ରେ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା । କିନ୍ତୁ ଖର୍ଚ୍ଚ କାଟ୍ ପାଇଁ କମ୍ପାନି ଛଟେଇ ପାଇଁ ବାଧ୍ୟ ହୋଇଛି । ତେବେ ସ୍ପଟିଫାଏ ନିଜର ପଡକାଷ୍ଟ ବ୍ୟବସାୟରେ ଏକ ବିଲିୟନ୍ ଡଲାରରୁ ଅଧିକ ନିବେଶ କରିଛି । ଅନେକ ଲୋକପ୍ରିୟ ସେଲିବ୍ରିଟି କିମ୍ କର୍ଦାସିଆନ୍, ବ୍ରିଟେନ ରାଜପରିବାର ସଦସ୍ୟ ପ୍ରିନ୍ସ ହ୍ୟାରୀ ଏବଂ ମେଗନ ମର୍କେଲ ଏହାର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି । ସେପଟେ କମ୍ପାନି ୨୦୩୦ ସୁଦ୍ଧା ଏକ ବିଲିୟନ୍ ୟୁଜରଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ।
ବର୍ତ୍ତମାନ ସମୟରେ ସ୍ପଟିଫାଏର ୬୦୧ ମିଲିୟନ ୟୁଜର ଥିବା ବେଳେ ୨୦୨୦ରୁ ୩୪୫ ମିଲିୟନ୍ ୟୁଜର ବୃଦ୍ଧି ପାଇଛନ୍ତି । ତୃତୀୟ ତ୍ରୈମାସିକରେ କମ୍ପାନି ବହୁ ଲାଭ କରିଥିବା ବେଳେ ସବସ୍କ୍ରାଇବରଙ୍କ ସଂଖ୍ୟା ବଢ଼ିଛି । ଛଟେଇ ହେବାକୁ ଥିବା କର୍ମଚାରୀଙ୍କୁ ସୋମବାର ପାଖରୁ କମ୍ପାନି ପକ୍ଷରୁ ସୂଚନା ଦିଆଯାଉଛି । ଚାକିରି ହରାଇବାକୁ ଥିବା କର୍ମଚାରୀଙ୍କୁ ୫ ମାସର ଦରମା, ଭେକେସନ୍ ପେ ଏବଂ ସ୍ବାସ୍ଥ୍ୟ ବୀମା ଦେବ କମ୍ପାନି ।