ରାଉରକେଲା : ରାଉରକେଲାରେ ବ୍ୟାପି ଚାଲିଛି ହଇଜା। ଆଜି ସ୍ଥିତି ସମୀକ୍ଷା କରିବାକୁ ରାଉରକେଲା ଯିବେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ୍ । ଏମାନେ ରାଉରକେଲା ସରକାରୀ ଡାକ୍ତରଖାନା ସମେତ ଅନ୍ୟ ସ୍ଥାନକୁ ଯାଇ ସ୍ଥିତି ପରଖିବେ । ସ୍ଥିତି ଅନୁଧ୍ୟାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।
ଖବର ଅନୁଯାୟୀ, ମଙ୍ଗଳବାର ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାରେ ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ରୋଗ ବ୍ୟାପିବାର କାରଣ ଓ ନିରାକରଣ ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ସହରରେ ଡାଇରିଆ ରୋଗୀ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ବଢି ବଢି ଚାଲିଛି । ତେଣୁ ଯାହା ଆଶଙ୍କା କରାଯାଉଥିଲା ତାହା ଡାଇରିଆ ନୁହେଁ ହଇଜା ତାହା ଏବେ ସତ ପ୍ରମାଣିତ ହୋଇଛି। ତେବେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ ପରୀକ୍ଷା ପାଇଁ ଯାଇଥିବା ୩୯ ରକ୍ତ ନମୁନାରୁ ୧୮ ଜଣ କଲେରା ଆକ୍ରାନ୍ତ ଥିବା ଜଣାପଡିଛି । ଏବେ ସୁଦ୍ଧା ଏହି ରୋଗରେ ୧୩ ଜଣଙ୍କ ମୃତ୍ୟୁ ହେଲାଣି ବୋଲି ଜଣାପଡିଛି। ସରକାରୀ ଭାବେ ୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଅନ୍ୟମାନଙ୍କର କେଉଁ କାରଣରୁ ମୃତ୍ୟୁ ଘଟିଛି ତାର ଯାଞ୍ଚ କରିବା ଲାଗି ଏକ ଡେଥ୍ ଅଡିଟ୍ ଟିମ୍ ଗଠନ କରାଯାଇଛି । ଏବେବି ୩୭୪ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସହରର ୬ଟି ସ୍ଥାନକୁ ହଟ୍ ସ୍ପଟ ଭାବେ ଚିହ୍ନଟ କରାଯାଇଥିବା ପ୍ରଶାସନ ସୂଚନା ଦେଇଛି । ସେହିପରି ଲୋକଙ୍କୁ ସଚେତନ କରିବାକୁ ୩୬ଟି ଟିମ୍ ବିଭିନ୍ନ ବସ୍ତିକୁ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି ।